ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ନଭେମ୍ବର ମାସ ୨୪ରୁ ଡିସେମ୍ବର ୫ ତାରିଖ ପର୍ୟ୍ୟନ୍ତ ଭୁବନେଶ୍ୱରରେ ଜୁନିୟର ପୁରୁଷ ହକି ବିଶ୍ୱକପ୍ ଆୟୋଜିତ ହେବ । ବିଶ୍ୱକପ୍ରେ ଭାଗ ନେବା ପାଇଁ ପାକିସ୍ତାନ ହକି ଫେଡେରେସନ୍ (ପିଏଚ୍ଏଫ୍) ବେଶ୍ ଆଗ୍ରହୀ ରହିଛି । ଖେଳାଳିଙ୍କ ଭିସା ଅନୁମତି ପାଇଁ ଆବଶ୍ୟକ କାଗଜ ପତ୍ର ଭାରତୀୟ ଦୂତାବାସରେ ଦାଖଲ କରାଯାଇ ସାରିଥିବା ପିଏଚ୍ଏଫ୍ ପକ୍ଷରୁ କୁହାଯାଇଛି । ୨୦୧୬ ସଂସ୍କରଣରେ ପାକିସ୍ତାନ ଭାଗ ନେଇ ପାରି ନଥିଲା । ଭାରତ ସରକାର ଖେଳାଳିଙ୍କୁ ଭିସା ଅନୁମତି ପ୍ରଦାନ କରିନଥିଲେ । ତେଣୁ ଶେଷ ମୁହୂର୍ତ୍ତରେ ବିଶ୍ୱକପ୍ ଖେଳିବାରୁ ପାକିସ୍ତାନ ବଞ୍ଚିତ ହୋଇଥିଲା । କିନ୍ତୁ ଏଥର ପିଏଚ୍ଏଫ୍ ବହୁ ପୂର୍ବରୁ ଭିସା ଅନୁମତି ପାଇଁ ପ୍ରକ୍ରିୟା ଆରମ୍ଭ କରି ଦେଇଛି ।ପିଏଚ୍ଏଫ୍ ସଭାପତି ଖଲିଦ ସାଜାଦ ଖୋକର କହିଛନ୍ତି, ଏଫ୍ଆଇଏଚ୍ ଠାରୁ ବିଶ୍ୱକପ୍ ସଂପର୍କରେ ସୂଚନା ପାଇବା ପରେ ଆମେ ଖେଳାଳିମାନଙ୍କ ଭିସା ଅନୁମତି ପାଇଁ ପ୍ରକ୍ରିୟା ଆରମ୍ଭ କରି ଦେଇଛୁ । ଭାରତୀୟ ଦୂତାବାସକୁ ଆବଶ୍ୟକ କାଗଜପତ୍ର ପଠାଇ ଦେଇଛୁ । ଆମେ ଚାହୁଁନା ୨୦୧୬ ଘଟଣାର ପୁନଃରାବୃତ୍ତି ହେଉ । ଆବଶ୍ୟକ କାଗତପତ୍ର ଦାଖଲ କରିବା ପରେ ଭିସା ପାଇଁ ଆଶାୟୀ ରହିଛୁ । କାରଣ ସବୁ କିଛି ତର୍ଜମା କରିବା ପାଇଁ ଆୟୋଜକ ଦେଶ ପାଖରେ ବହୁତ ସମୟ ରହିଛି ।’ ଗତ ଜୁନିୟର ବିଶ୍ୱକପ୍ ପାଇଁ ପିଏଚ୍ଏଫ୍ ବହୁ ବିଳମ୍ବରେ ଖେଳାଳିଙ୍କ ଭିସା ଆବେଦନ କରିଥିଲା । ଫଳରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଭାରତୀୟ ଦୂତାବାସ ପକ୍ଷରୁ ସମସ୍ତ କାର୍ୟ୍ୟ ଶେଷ ହୋଇ ପାରି ନଥିଲା । ତେଣୁ ପାକ୍ ଖେଳାଳିଙ୍କୁ ଭିସା ମିଳିପାରି ନଥିଲା । ପିଏଚ୍ଏଫ୍ ସମ୍ପାଦକ ଅସିଫ ବାଜୱା କହିଛନ୍ତି, ଭାରତୀୟ ଭିସା ପାଇଁ ୬୦ ଦିନ ସମୟ ଲାଗିଥାଏ । ଆମେ ଆମର ୨୫ ଜଣିଆ ଖେଳାଳି ଓ ୯ ଜଣ ଅଫିସିଆଲଙ୍କ ତାଲିକା ଏଫ୍ଆଇଏଚ୍ ଓ ହକି ଇଣ୍ଡିଆକୁ ପଠାଇ ଦେଇଛୁ । ତାଲିକାରେ ସାମିଲ ଥିବା ଖେଳାଳି ଓ ଅଫିସିଆଲମାନଙ୍କର ଭିସା ଆବେଦନ କରାଯାଇଛି ।’ ଗତ ୨୦୧୮ ବିଶ୍ୱକପ୍ରେ ପାକିସ୍ତାନ ସିନିୟର ହକି ଦଳ ଭୁବନେଶ୍ୱର ଆସି ମ୍ୟାଚ୍ ଖେଳିଥିଲା । ଏହାପୂର୍ବରୁ ମଧ୍ୟ ପାକିସ୍ତାନ ହକି ଦଳ ଓ ଆଥଲେଟିକ୍ ଦଳ ଭୁବନେଶ୍ୱର ଆସିଥିଲା । ସେହିପରି ପାକ୍ ମହିଳା କ୍ରିକେଟ୍ ଦଳ ମଧ୍ୟ ବାରବାଟୀ ଷ୍ଟାଡିୟମରେ ବିଶ୍ୱକପ୍ ଖେଳିଥିଲା ।






