ଟୋକିଓ, (ବାଘୁଆବାର୍ତ୍ତା): ଟୋକିଓରୁ ଆସିଲା ଭଲ ଖବର। ବିଶ୍ବ କ୍ରୀଡା ମହାକୁମ୍ଭର ୧୦ମ ଦିନରେ ଭାରତକୁ ମିଳିଲା ଆଉ ଏକ ପଦକ। ବ୍ୟାଡମିଣ୍ଟନରେ ଭାରତୀୟ ଷ୍ଟାର ସଟଲର ପିଭି ସିନ୍ଧୁ କାଂସ୍ୟ ପଦକ ଜିତିଛନ୍ତି। ଚାଇନାର ବିଗଜିଆଓଙ୍କୁ ମାତ୍ ଦେଇ ଟୋକିଓରେ ପଦକ ଜିତିଲେ ସିନ୍ଧୁ। ଦ୍ବିତୀୟ ଭାରତୀୟ ଭାବେ ଟୋକିଓରେ ପଦକ ଜିତିଲେ ପିଭି ସିନ୍ଧୁ। ୨୦୧୬ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ପିଭି ସିନ୍ଧୁଙ୍କୁ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ବ୍ରୋଞ୍ଜ ପଦକ ପାଇଁ ରବିବାର ଖେଳାଯାଇଥିବା ମୁକାବିଲାରେ ଦମଦାର ପ୍ରଦର୍ଶନ କରିଥିଲେ ପିଭି। ଖେଳ ଆରମ୍ଭରୁ ହିଁ ବିପକ୍ଷ ଖେଳାଳିଙ୍କ ଉପରେ ଆଟାକ କରିଥିଲେ ପିଭି ସିନ୍ଧୁ। ଯାହାଫଳରେ ପ୍ରଥମ ସେଟକୁ ୨୧-୧୩ରେ ଜିତିଥିଲେ ସିନ୍ଧୁ। କିନ୍ତୁ ଦ୍ବିତୀୟ ସେଟରେ ଚାଇନା ଖେଳାଳି କମ୍ବ୍ୟାକ୍ କରିବା ସହ ପିଭିଙ୍କୁ ଟକ୍କର ଦେଇଥିଲେ। ହେଲେ ପିଭି ଚତୁରତା ସହ ଖେଳ ଜାରି ରଖିଥିଲେ। ପରିଶେଷରେ ସିନ୍ଧୁ ୨୧-୧୫ ରେ ଜିତି ବ୍ରୋଞ୍ଜ ପଦକ ଜିତିଥିଲେ। ବିଶ୍ଵ କ୍ରୀଡ଼ା ମହାକୁମ୍ଭ ‘ଅଲିମ୍ପିକ୍ସ’ର ଦ୍ଵିତୀୟ ଦିନରେ ଭାରତକୁ ମିଳିଥିଲା ସଫଳତା। ଭାରତୀୟ ମହିଳା ଭାରଉତ୍ତୋଳନ ଖେଳାଳି ମୀରାବାଈ ଚାନୁ ଜିତିଥିଲେ ରୌପ୍ୟ ପଦକ। ମହିଳା ୪୯କିଲୋ ବର୍ଗରେ ସେ ଭାରତ ପାଇଁ ଜିତିଥିଲେ ପଦକ।






