କଟକ, (ବାଘୁଆବାର୍ତ୍ତା): ଦିନ କେଇଟା ପରେ ରାକ୍ଷୀ ପୂର୍ଣ୍ଣିମା । ଭଉଣୀମାନେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କ ଦୀର୍ଘାୟୁ ମନାସିବେ । ଏଥିପାଇଁ ସହରରେ ରାକ୍ଷୀ ବ୍ୟବସାୟ ଅନ୍ଲାଇନ୍ରେ ଜୋର୍ ଧରିଛି । ବିଭିନ୍ନ ବ୍ୟବସାୟୀମାନେ ନାମୀଦାମୀ ୱେବ୍ସାଇଟ୍ ମାଧ୍ୟମରେ ରାକ୍ଷୀ ବ୍ୟବସାୟ ଆରମ୍ଭ କରିଥିଲା ବେଳେ କିଛି ବ୍ୟବସାୟୀ ସୋସିଆଲ୍ ମିଡିଆ ଆକାଉଣ୍ଟ୍ରେ ରାକ୍ଷୀ ବ୍ୟବସାୟ ଆରମ୍ଭ କରିଛନ୍ତି । କଟକ ନୂଆବଜାର ଅଞ୍ଚଳର ଯୁବକ ଈଶ୍ୱର ସାହୁଙ୍କ ଅକ୍ସିଜେନ୍ ରାକ୍ଷୀ କିଟ୍ କିନ୍ତୁ ସମସ୍ତଙ୍କ ମନ ମୋହିବାରେ ଲାଗିଛି । ଅର୍ଡର କରିବା ମାତ୍ରେ ଅନ୍ଲାଇନରେ ଲୋକଙ୍କ ଘରେ ପହଞ୍ଚିଯାଉଛି । ସଂକ୍ରମଣ କମିବା ସାଙ୍ଗକୁ କଟକଣା ମଧ୍ୟ କୋହଳ ହେଉଛି । ଦୋକାନ, ବଜାର ମଧ୍ୟ ଖୋଲୁଛି । କିନ୍ତୁ ଆଉ ଦିନ କେଇଟା ପରେ ରାକ୍ଷୀ ପୂର୍ଣ୍ଣିମା ଥିଲେ ମଧ୍ୟ ସହରରେ ରାକ୍ଷୀ ଦୋକାନ ବିଶେଷ ଖୋଲିପାରିଲା ନାହିଁ । ପ୍ରତିବର୍ଷ ବନ୍ଧୁତ୍ୱ ଦିବସରୁ କଲେଜ ଛକ, ରାଣୀହାଟ, ବାଦାମବାଡି ଆଦି ଅଞ୍ଚଳରେ ରାକ୍ଷୀ ଦୋକାନ ଖୋଲିଯାଇଥାଏ । ମାସଟା ଯାକ ବେଶ୍ କିଛି ରୋଜଗାର କରିଥାନ୍ତି ରାକ୍ଷୀ ବ୍ୟବସାୟୀ । କିନ୍ତୁ ଚଳିତ ବର୍ଷ କରୋନା ପାଇଁ ଲୋକେ ଅନ୍ଲାଇନ୍ରେ ରାକ୍ଷୀ ଅର୍ଡର କରୁଛନ୍ତି । ଯେଉଁମାନଙ୍କ ଭାଇ ବାହାରେ ରହୁଛନ୍ତି ସେମାନେ ମଧ୍ୟ ସିଧାସଳଖ ଭାଇଙ୍କ ଠିକଣା ଲେଖି ଘରେ ବସି ଅର୍ଡର କରୁଛନ୍ତି । ଲୋକଙ୍କ ଡିମାଣ୍ଡ୍କୁ ଦୃଷ୍ଟିରେ ରଖି ବିଭିନ୍ନ ଅନ୍ଲାଇନ୍ ସପିଂ ୱେବ୍ସାଇଟ୍ରେ ବିଭିନ୍ନ ଅଫର୍ ସହିତ ରାକ୍ଷୀ ବିକ୍ରି ଆରମ୍ଭ ହୋଇଛି ।ସେଥିରେ ବନ୍ଧନ ବ୍ରେସ୍ଲେଟ୍ ରାକ୍ଷୀ, ସେଣ୍ଟେଡ୍ ରାକ୍ଷୀ, ମଗ୍ ରାକ୍ଷୀ ଆଦି ଅନେକ ପ୍ରକାରର ରାକ୍ଷୀ ରହିଛି । ତା ସାଙ୍ଗକୁ ଚକୋଲେଟ୍ ଓ ବିଭିନ୍ନ ଆକର୍ଷଣୀୟ ଗିଫ୍ଟ ମଧ୍ୟ ପ୍ରଦାନ କରାଯାଉଛି ।କିନ୍ତୁ କଟକ ଓ ଭୁବନେଶ୍ୱରବାସୀଙ୍କ ମନ ମୋହୁଛନ୍ତି ନୂଆବଜାର ଅଞ୍ଚଳର ଯୁବକ ଈଶ୍ୱର ସାହୁ । ସେ ଚଳିତ ବର୍ଷ ଅକ୍ସିଜେନ୍ ରାକ୍ଷୀ କିଟ୍ ପ୍ରଦାନ କରୁଛନ୍ତି । ରାକ୍ଷୀ କିଟ୍ ସାଙ୍ଗକୁ ପରିବେଶ ସୁରକ୍ଷା ପାଇଁ ଏକ ନିମ ଗଛ ଚାରା ପ୍ରଦାନ କରୁଛନ୍ତି । ଉକ୍ତ କିଟ୍ କାଠରେ ଡିଜାଇନ୍ ହୋଇଥିଲା ବେଳେ ବେଶ୍ ଆକର୍ଷଣୀୟ ମଧ୍ୟ ହୋଇଛି । ସେଥିରେ୍ ଏକ ସାନିଟାଇଜର୍, ପ୍ରିଣ୍ଟେଡ୍ ମାସ୍କ, ଫଟୋ ରାକ୍ଷୀ, ମଡର୍ଣ୍ଣ କ୍ୟାଲେଣ୍ଡର, ସ୍ପେଶାଲ୍ ସୁରକ୍ଷା ସ୍ପ୍ରେ(ଆୟୁର୍ବେଦିକ), ଚକୋଲେଟ୍, ସିନ୍ଦୁର, ମୋ ଭାଇ କାର୍ଡ, ଫଟୋ ଚାବି ରିଂ ଭଳି ୧୦ଟି ଆଇଟମ୍ ରହିଛି ଯାହାର ମୂଲ୍ୟ ମାତ୍ର ୩୬୧ ଟଙ୍କା । ଏହାକୁ ଲୋକମାନେ ୮୨୪୯୨୬୬୯୬୩ ନମ୍ବରରେ ଅର୍ଡର କରିପାରିବେ । ଈଶ୍ୱର କହନ୍ତି, ଅର୍ଡର କରିବାର ଗୋଟିଏ ଦିନ ଭିତରେ ଜିନିଷ ଦିଆଯିବ ।






