ଭୁବନେଶ୍ଵର, (ବାଘୁଆବାର୍ତ୍ତା): ରାଜ୍ୟ ସରକାରଙ୍କ ବିଦ୍ୟୁତ ଯୋଜନାରେ ବାଧକ ସାଜିଛନ୍ତି ଦୁର୍ନୀତିଗ୍ରସ୍ତ ଅଫିସର । କାରଣ ରାଜ୍ୟର ବିଦ୍ୟୁତ ଭିତ୍ତିଭୂମୀକୁ ସଶକ୍ତ କରିବା ଲାଗି ଗଠିତ ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ୍ (ଓପିଟିସିଏଲ୍) ବିରୋଧରେ ମହା ଦୁର୍ନୀତି ଅଭିଯୋଗ। ଓପିଟିସିଏଲ ପାଲଟିଛି ଏବେ ଦୁର୍ନୀତିର ଗନ୍ତାଘର। ଏକାଧିକ ଠିକା କାମ ନେଇ ଅଧା ପନ୍ତରିଆ କରି ସରକାରଙ୍କ ଆର୍ଥିକ ବୋଝ ବଢାଉଥିବା ଠିକା କମ୍ପାନୀ ଟାଟା ପ୍ରୋଜେକ୍ଟକୁ ଅହେତୁକ ଅନୁକମ୍ପା ଦେଖାଉଛନ୍ତି ଓପିଟିସିଏଲ୍ର କିଛି ଦୁର୍ନୀତି ଗ୍ରସ୍ତ ଅଫିସର । ମଞ୍ଜି କଥାଟି ହେଲା ଓପିଟିସିଏଲ୍ର ଏକ ଟେକନିକାଲ ୱିଙ୍ଗ୍ ହୋଇଥିବାରୁ ଦୁର୍ନୀତି ପଦାକୁ ଆସୁନି । ଏପରି ସଙ୍ଗୀନ ଅଭିଯୋଗ ଆଣିଛି ଓଡ଼ିଶା ରାଜ୍ୟ ବିଦ୍ୟୁତ ବୋର୍ଡ କର୍ମଚାରୀ ସଂଘ । ସଂଘ ପକ୍ଷରୁ ଓପିଟିସିଏଲ୍ର କିଛି ଦୁର୍ନୀତିଗ୍ରସ୍ତ ଅଫିସର ଏବଂ ବିବାଦୀୟ ଠିକା କମ୍ପାନୀ ଟାଟା ପ୍ରୋଜେକ୍ଟସ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକା ନେଇ ସିରିଜ୍ ଅଭିଯୋଗ । ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସଂଘ ଟାଟା ପ୍ରେଜେକ୍ଟ୍ସ ବିରୋଧରେ ପୁଣିଥରେ ଗୁରୁତର ବିଫଳତା ଏବଂ ନୀତି ନିୟମ ଉଲଂଘନର ଅଭିଯୋଗ କରିଛି । ତା ସହ ଟାଟା ପ୍ରୋଜେକ୍ଟକୁ ଓପିଟିସିଏଲ୍ର କିଛି ଅଫିସରଙ୍କ ଅହେତୁକ ଅନୁକମ୍ପାର ଅଭିଯୋଗ । ଓପିଟିସିଏଲ୍ର ଡିଜିଏମଙ୍କ ଠାରୁ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ପର୍ୟ୍ୟନ୍ତ ସମସ୍ତଙ୍କୁ ମହାଦୁର୍ନୀତିରେ ଟାର୍ଗେଟ୍ କରିଛି ସଂଘ। ଏ ନେଇ ମୁଖ୍ୟ ଶାସନ ସଚିବଙ୍କ ସହ, ଶକ୍ତି ସଚିବ ଏବଂ ୫ ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଛି । ଅଭିଯୋଗରୁ ପ୍ରକାଶ, ଓପିଟିସିଏଲ୍ ୨୦୧୮ ମସିହାରେ ଟାଟା ପ୍ରୋଜେକ୍ଟ୍ସ ଲିମିଟେଡ୍କୁ ଧାମରା, କିଆକଟା ଓ ଦଶପଲ୍ଲା ଠାରେ ତିନିଟି ୨୨୦/ ୧୩୨/ ୩୩ କେଭିର ଗ୍ରୀଡ୍ ସବ୍ଷ୍ଟେସନ ଓ ଲାଇନ ନିର୍ମାଣ ଠିକା କାମ ଦେଇଥିଲେ । ୨୦୧୯ରେ ସେହି କମ୍ପାନୀକୁ ବାଲିଅନ୍ତାରେ ଏକ ଗ୍ୟାସ ଇନ୍ସୁଲେଟେଡ ଗ୍ରୀଡ୍ ସବ୍ ଷ୍ଟେସନ ନିର୍ମାଣ କାମ ବି ଦେଇଥିଲେ। ଏପରି ମୋଟ ୪୨୯ କୋଟି ଟଙ୍କାର କାମ ଓପିଟିସିଏଲ୍ରୁ ନେଇଥିବା ଟାଟା ପ୍ରୋଜେକ୍ସ ୩ ବର୍ଷ, ମଧ୍ୟରେ ଗୋଟିଏ ବି କାମ ଶେଷ କରିନାହିଁ । ସବୁ ବିଦ୍ୟୁତ କାମ ଗୁଡିକ ଗୁରୁତ୍ବପୂର୍ଣ୍ଣ ହୋଇଥିଲେ ବି ଅଧାପନ୍ତରିଆ ଅବସ୍ଥାରେ ପଡି ରହିଛି। ଏହି କାରଣରୁ ଟାଟା ପ୍ରୋଜେକ୍ଟସର କାର୍ୟ୍ୟଦକ୍ଷତା ମୂଲ୍ୟାୟନ କରିଥିଲେ ଓପିଟିସିଏଲ୍ । ତେବେ ୩୦ ପଏଣ୍ଟରୁ କମ୍ ପାଇବାରୁ ଟାଟା ପ୍ରୋଜେକ୍ଟ୍ସ କୁ ଓପିଟିସିଏଲ୍ ୨୦୨୦ ଜାନୁଆରୀରେ ନୂଆ ଟେଣ୍ଡରରେ ଭାଗ ନେବାରୁ ନିବୃତ୍ତ କରିଥିଲେ । କିନ୍ତୁ ମାତ୍ର କେଇଟା ମାସରେ ଦକ୍ଷତା ନଥିବା ଅଯୋଗ୍ୟ କମ୍ପୀନୀକୁ ନୂଆ ଟେଣ୍ଡର ଦେବାକୁ ଓପିଟିସିଏଲ୍ର କିଛି ଦୁର୍ନୀତିଗ୍ରସ୍ତ ଅଫିସର ଲାଗିପଡିଛନ୍ତି । ଏଥିଲାଗି କମ୍ପାନୀର ଦକ୍ଷତା ରିପୋର୍ଟକୁ ବଦଳାଇଦିଆଯାଇଥିବା ଅଭିଯୋଗ କରିଛି ଓଡ଼ିଶା ରାଜ୍ୟ ବିଦ୍ୟୁତ ବୋର୍ଡ କର୍ମଚାରୀ ସଂଘ । ଏରସମା-ପାରାଦୀପରେ ଏକ ୪୦୦/୨୨୦ କେଭି ଗ୍ୟାସ୍ ଇନସ୍ୟୁଲେଟେଡ ଗ୍ରୀଡ୍ ସବ୍ଷ୍ଟେସନ ଓ ଳାଇନ ନିର୍ମାଣ ଠିକା କାମର ଟେଣ୍ଡରରେ ଟାଟା ପ୍ରୋଜେକ୍ଟ୍ସକୁ ସାମିଲ କରାଯିବା ଏକ ବଡ ଘୋଟାଲା ବୋଲି କହିଛି ସଂଘ । କାରଣ ୨୦୨୩ ମସିହା ସୁଦ୍ଧା ପାରାଦୀପ ଶିଳ୍ପ ମଣ୍ଡଳରେ ନୂଆ କରି ସ୍ଥାପିତ ହେବାକୁ ଥିବା ଏକାଧିକ ବୃହତ୍ତ ଶିଳ୍ପ ପ୍ରକଳ୍ପ ସବୁକୁ ଉକ୍ତ ଗ୍ରୀଡ୍ ସବଷ୍ଟେସନ ପ୍ରକଳ୍ପରୁ ବିଦ୍ୟୁତ ସଂଯୋଗ କରାଯିବ । ଅଥଚ ,ଏହାକୁ ଅନିଶ୍ଚିତତା ଭିତରକୁ ଠେଲି ଦେବାକୁ ଷଡଯନ୍ତ୍ର ଚାଲିଥିବା ଓଡ଼ିଶା ରାଜ୍ୟ ବିଦ୍ୟୁତ ବୋର୍ଡ କର୍ମଚାରୀ ସଂଘ ଅଭିଯୋଗ କରିଛି । ସରକାର ଋଣ କରି ବିଦ୍ୟୁତ ଭିତ୍ତିଭୂମିର ବିକାଶ କାମ କରୁଥିବା ବେଳେ, ଅସାଧୁ ଅଫିସର ରାଜ୍ୟ ସ୍ବାର୍ଥର ବିରୋଧୀ ଲାଭଖୋର କମ୍ପାନୀଠାରୁ ଫାଇଦା ନେଇ ଚାଲିଛନ୍ତି । ରାଜ୍ୟର ଋଣଭାର ବଢୁଛି କିନ୍ତୁ ଅଫିସରଙ୍କ ପକେଟ ଗରମ ହେଉଛି। ବିଦ୍ୟୁତ ସମସ୍ୟ ଯୋଗୁଁ ଜନଅସନ୍ତୋଷ ଦେଖାଗଲାଣି । ରାଜ୍ୟ ସରକାରଙ୍କ ବିଦ୍ୟୁତ ବିଭାଗ ବିଶେଷ କରି ୫ଟି ବିଭାଗ ଏହି ଘଟଣାର ଯଥାର୍ଥ ତଦନ୍ତ କରି କାର୍ୟ୍ୟାନୁଷ୍ଠାନ କରିବା ଜରୁରି । ରାଜ୍ୟ ବାସୀ ତଥା ସରକାରଙ୍କ ସ୍ଵାର୍ଥ ଦୃଷ୍ଟିରୁ ତୁରନ୍ତ ଟାଟା ପ୍ରୋଜେକ୍ଟ୍ସକୁ ଅଯୋଗ୍ୟ ଘୋଷଣା କରି କାର୍ୟ୍ୟାନୁଷ୍ଠାନ କରାଯିବା ଲାଗି ଦାବି କରିଛନ୍ତି ଆଣିଛି ଓଡ଼ିଶା ରାଜ୍ୟ ବିଦ୍ୟୁତ ବୋର୍ଡ କର୍ମଚାରୀ ସଂଘ।






