ଭୁବନେଶ୍ବର, (ବାଘୁଆବାର୍ତ୍ତା): କସମୋପଲିସ୍ ଆପାର୍ଟମେଣ୍ଟ ନିକଟସ୍ଥ ଭକ୍ତମଧୁ ସମବାୟ ନଗରରୁ ସେକ୍ସ ରାକେଟ୍ ଧରାପଡ଼ିବା ପରେ ରାଣୀ ମହୁମାଛି ଡଲି ଓ ତା’ର ପୁଅ ମିଲୁ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ଘର ଭିତରୁ ଜବତ ହୋଇଥିବା ରେଜିଷ୍ଟରରୁ କଳା କାରବାରର ଗୁମର ଖୋଲୁଛି। ଏପର୍ଯ୍ୟନ୍ତ ରେଜିଷ୍ଟରରୁ ପ୍ରାୟ ୩୨ ଜଣ ଏଜେଣ୍ଟଙ୍କ ବିଷୟରେ ତଥ୍ୟ ମିଳିଛି। ତଦନ୍ତ ଦୃଷ୍ଟିରୁ ସେମାନଙ୍କ ନାମ ଓ ଠିକଣା ଗୋପନ ରଖାଯାଇଛି। ସେହି ଏଜେଣ୍ଟଙ୍କ ମାଧ୍ୟମରେ ମାଆ-ପୁଅ ମିଶି ସେକ୍ସ ରାକେଟ ଚଳାଉଥିଲେ ବୋଲି ପୁଲିସ ଜାଣିବାକୁ ପାଇଛି। ଏଜେଣ୍ଟମାନେ ଯୁବତୀ ଓ ନାବାଳିକାଙ୍କୁ ନେଇ ବିଭିନ୍ନ ଗ୍ରାହକଙ୍କ ପାଖରେ ଛାଡୁଥିଲେ ଓ ଗ୍ରାହକମାନଙ୍କୁ ଭକ୍ତମଧୁ ସମବାୟ ନଗର ସ୍ଥିତ ଘରକୁ ଆଣୁଥିଲେ ବୋଲି ଜଣାପଡ଼ିଛି। ଏଥିସହିତ ଏ ବାବଦକୁ କମିସନ ନେଉଥିଲେ। ଏମିତିକି କମିସନ ବାବଦକୁ କେଉଁ ଏଜେଣ୍ଟ କେତେ ଟଙ୍କା ନେଇଛନ୍ତି ତାହାର ପ୍ରମାଣ ମଧ୍ୟ ପୁଲିସ ହାତରେ ଲାଗିଛି। ସେମାନଙ୍କ ବିଷୟରେ ଆହୁରି ତଥ୍ୟ ସଂଗ୍ରହ କରାଯାଉଛି। ଫେରାର୍ ଥିବା ରାଣୀ ମହୁମାଛି ଓ ତା’ର ପୁଅ ସମେତ ଏଜେଣ୍ଟମାନଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି ପୁଲିସ। ସେପଟେ ଉଦ୍ଧାର ହୋଇଥିବା ନାବାଳିକାଙ୍କ ସମେତ ୪ ଯୁବତୀଙ୍କର ବୟାନ ରେକର୍ଡ କରାଯାଇଛି। ବିଏନ୍ଏସ୍ଏସ୍ ଧାରା ୧୮୩ ଅନୁସାରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶନିବାର ଏହି ବୟାନ ରେକର୍ଡ ହୋଇଛି। ରାଣୀ ମହୁମାଛି ଓ ତା’ର ପୁଅ ଦ୍ବାରା ସେମାନେ କିପରି ନିର୍ଯାତିତ ହେଉଥିଲେ, ତାହା ବଖାଣିଛନ୍ତି। ପୀଡ଼ିତାମାନଙ୍କ ବୟାନ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ସହାୟକ ହେବ ବୋଲି ପୁଲିସ ଆଶା ରଖିଛି। ଅନ୍ୟପକ୍ଷରେ ପୀଡ଼ିତାଙ୍କ ମଧ୍ୟରେ ଜଣେ ନାବାଳିକା ରହିଛନ୍ତି। ନାବାଳିକାଙ୍କୁ ରବିବାର ସିଡବ୍ଲୁସିଙ୍କ ନିକଟରେ ହାଜର କରାଯାଇଛି। ନାବାଳିକାଙ୍କ ସମେତ ୪ ଯୁବତୀଙ୍କ ଡାକ୍ତରୀ ମାଇନା କରିବା ପରେ ସେମାନଙ୍କୁ ସର୍ଟ ଷ୍ଟେ ହୋମରେ ରଖାଯାଇଛି। ସୂଚନାଯୋଗ୍ୟ ଯେ, ଭକ୍ତମଧୁ ସମବାୟ ନଗରରେ ଏକ ଘରେ ଦେହ ବ୍ୟବସାୟ ଚାଲିଥିବା ନେଇ ଗତ ଗୁରୁବାର ଖଣ୍ଡଗିରି ଥାନା ପୁଲିସ ଖବର ପାଇଥିଲା। ଥାନାର ଏକ ସ୍ବତନ୍ତ୍ର ଟିମ୍ ସେଠାରେ ଚଢ଼ଉ କରି ଜଣେ ନାବାଳିକାଙ୍କ ସମେତ ୪ ଯୁବତୀଙ୍କୁ ଉଦ୍ଧାର କରିଥିଲା। ହେଲେ ମାଷ୍ଟର ମାଇଣ୍ଡ ମାଆ-ପୁଅ ଫେରାର୍ ହୋଇ ଯାଇଥିଲେ। ଘର ଭିତରୁ ୩ ହଜାର ଅବ୍ୟବହୃତ କଣ୍ଡୋମ୍, ରେଜିଷ୍ଟର ଓ କାଗଜପତ୍ର ଜବତ କରିଥିଲା।





