ନୟାଗଡ଼, (ବାଘୁଆବାର୍ତ୍ତା): ଚଳିତବର୍ଷ ଧାନ ସଂଗ୍ରହ ପାଇଁ ନୟାଗଡ ଜିଲ୍ଲାପ୍ରଶାସନ ପକ୍ଷରୁ ଆଜି ଧାନମଣ୍ଡି ଉଦ୍ଘାଟନ କରାଯାଇଛି । ଜିଲ୍ଲା ଯୋଗାଣ ବିଭାଗ ତରଫରୁ ବାହାଡାଝୋଲା ନିୟନ୍ତ୍ରୀତ ବଜାର କମିଟି ପରିସରରେ ବାଚସ୍ପତି ସୂରମା ପାଢୀ ଏହାକୁ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଆୟୋଜିତ ଉତ୍ସବରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଉପ ଜିଲ୍ଲା ପାଳ କର୍ଣ୍ଣଦେବ ସମାଦାର, ଜିଲ୍ଲା ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ମହାନ୍ତି, ବଜାର କମିଟିର ସମ୍ପାଦକଙ୍କ ସମେତ ମିଲର ଏବଂ ଚାଷୀ ଯୋଗଦେଇଥିଲେ ।

ଆଜିଠାରୁ ଜିଲ୍ଲାରେ ଥିବା ୧୫୩ଟି ସେବା ସମବାୟ ସମିତିର ୧୬୮ଟି ଧାନ ସଂଗ୍ରହ କେନ୍ଦ୍ରରେ ପଞିକୃତ ଚାଷୀମାନଙ୍କ ଠାରୁ ଧାନ କ୍ରୟ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଚଳିତବର୍ଷ ଜିଲ୍ଲାରେ ୫୩ ହଜାର ୮୩୯ ଜଣ ଚାଷୀ ଧାନ ବିକ୍ରୟ ପାଇଁ ସେମାନଙ୍କ ନାମ ପଞିକୃତ କରିଛନ୍ତି । ପ୍ରଥମ ପର୍ୟ୍ୟାୟରେ ଜିଲ୍ଲାରେ ୧୨ଲକ୍ଷ ୯୦ହଜାର ୨୯୪ କ୍ୱିଣ୍ଟାଲ୍ ଧାନ ସଂଗ୍ରହ କରିବାକୁ ଟାର୍ଗେଟ୍ ମିଳିଛି । ଏଥିପାଇଁ ୧୫ଜଣ ମିଲର୍ଙ୍କ ସହିତ ଚୁକ୍ତିନାମା ହୋଇଥିବା ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି । ସରକାରଙ୍କ ନିୟମ ଅନୁଯାୟୀ ଚଳିତବର୍ଷ ଚାଷୀ ନିଜର ଉତ୍ପାଦିତ ସମସ୍ତ ଧାନକୁ ମଣ୍ଡିରେ ବିକ୍ରୟ କରିପାରିବେ ।

ଚାଷୀଭାଇମାନେ କଳା ବେପାରୀ ମାନଙ୍କ କଥାରେ ନପଡି ଏଫ୍ଏକ୍ୱୁ ମାନର ଧାନ ସମବାୟ ସମିତିକୁ ଦେଇ ସରକାରଙ୍କ ଧାର୍ୟ୍ୟ ମୂଲ୍ୟ ୩୧୦୦ଟଙ୍କା ନେବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଅଦିନିଆ ବର୍ଷାରେ ବହୁ ଧାନ ନଷ୍ଟ ହୋଇଯାଇଥିବାରୁ ଚାଷୀ ଧାନକୁ ଶୁଖାଇ ମଣ୍ଡିକୁ ଆଣିବାକୁ ସମୟ ଦରକାର ଥିବାରୁ ସରକାର ଜିଲ୍ଲାରେ ମଣ୍ଡି ଖୋଲିବାରେ ବିଳମ୍ବ କରିଥିଲେ ବୋଲି ବାଚସ୍ପତି କହିଛନ୍ତି । ଚାଷୀମାନେ ଏଫ୍.ଏ.କ୍ୟୁ ମାନର ଧାନ ମଣ୍ଡିକୁ ଆଣିବା ପାଇଁ ବାଚସ୍ପତି ଅନୁରୋଧ କରିଛନ୍ତି । ଏହାସହିତ ମିଲରମାନେ ତୁରନ୍ତ ଚାଷୀଙ୍କ ଧାନ ଉଠାଇବାକୁ ବ୍ୟବସ୍ଥା କରିବାକୁ ସେ ଅନୁରୋଧ କରିଛନ୍ତି ।






