ଦଶପଲ୍ଲା ଓ ଗଣିଆ ବ୍ଲକ ଆଦିବାସୀଙ୍କ ଦୁର୍ଦ୍ଦଶା ଦୂରିଭୂତ କେବେ
ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଦଶପଲ୍ଲା ଓ ଗଣିଆ ବ୍ଲକର ଅନେକ ଅଂଚଳ ଆଦିବାସୀ ଅଧୂଷିତ ହୋଇଥିବା ବେଳେ ଅନେକ ଗ୍ରାମ ବାହ୍ୟ ଜଗତରୁ ମଧ୍ୟ ବିଚ୍ଛିନ୍ନ ହୋଇ ବିଚ୍ଛିନାଞ୍ଚଳର ପରିଚୟ ପାଉଛି । ସରକାର ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳକୁ ମୋବାଇଲ ସେବା କାର୍ଯ୍ୟକାରୀ କରି ପାରୁଥିବା ବେଳେ ନୟାଗଡ଼ ଜିଲ୍ଲାର ଏହି ଆଦିବାସୀ ଅଧୂଷିତ ଅଂଚଳର ସମସ୍ୟାକୁ କେବେ ସମାଧାନ କରିବେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଫଳରେ ଏହି ଦୁଇଟି ବ୍ଲକରେ ଅନ୍ଲାଇନ୍ ଶିକ୍ଷା ବାଧାପ୍ରାପ୍ତ ହୋଇଥିବା ବେଳେ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସୂଚନାମଧ୍ୟ ଲୋକମାନେ ପାଇବା ରୁ ବଂଚି ହେଉଛନ୍ତି । ସୂଚନାନୁସାରେ, ଦଶପଲ୍ଲା ବ୍ଲକର ଚଢେୟାପଲ୍ଲୀ, ପୋଖରୀଗୋଛା, ଦୁଡ଼ା, କଳସାଖମଣ ଓ ନୂଆଗାଁ ପଂଚାୟତର ହଜାର ହଜାର ଜନସାଧାରଣ ଦୀର୍ଘ ବର୍ଷ ଧରି ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଓ ଗମନାଗମନ କ୍ଷେତ୍ରରେ ଅବହେଳିତ ହୋଇ ରହି ଆସୁଥିବା ବେଳେ ମୁଖ୍ୟତଃ ମୋବାଇଲ ସେବା ପାଇଁ ବିଭିନ୍ନ ସମୟରେ ଦାବି ଜଣାଇବା ସହ ଧାରଣା ଓ ଆନ୍ଦୋଳନ କରି ଆସୁଛନ୍ତି । ହେଲେ ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କ ଇକ୍ତାଶକ୍ତିର ଅଭାବକୁ ନେଇ କେବଳ ପ୍ରତିଶୃତିରେ ଏହି ସେବା ସୀମିତ ରହିଛି । ସେହିଭଳି ଭାବେ ଗଣିଆ ବ୍ଲକ ବଡ଼ସିଲିଙ୍ଗା ପଂଚାୟତର ୨୫ ଖଣ୍ଡ ଗ୍ରାମରେ ମଧ୍ୟ ସମାନ ସମସ୍ୟା ସ୍ୱାଧିନତାର ୭୩ ବର୍ଷ ପରେ ଦେଖା ଯାଉଛି । ଏହାରି ମଧ୍ୟରେ ଦେଖିବାକୁ ଗଲେ ଘୁଗୁଡିପଡ଼ା ପଂଚାୟତରେ ଦୀର୍ଘ ୧ ବର୍ଷ ହେଲା ଯଦିଓ ମୋବାଇଲ ଟାୱାର ସ୍ଥାପନ ହୋଇଛି ଏହାକୁ ଜାଣିଶୁଣି କାର୍ଯ୍ୟକ୍ଷମ କରାଯାଉ ନଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି । ଘୁଗୁଡିପଡା ପଂଚାୟତର ବସନ୍ତପୁର ଓ ଓସ୍ତିଆ ଠାରେ ଦୁଇ ଗୋଟି ଟାୱାର ନିର୍ମାଣ କରାଯାଇଛି । ହେଲେ ୧ ବର୍ଷ ବିତି ଯାଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକ୍ଷମ କରାଯାଉ ନାହିଁ । ଏହି ଟାୱାରକୁ କାର୍ଯ୍ୟକ୍ଷମ କରାଗଲେ ଖାଲି ଯେ ଘୁଗୁଡିପଡା ପଂଚାୟତ ନୁହେଁ ଦଶପଲ୍ଲା ବ୍ଲକର ନଛିପୁର ଓ ଗଣିଆ ବ୍ଲକର କିଛି ପଂଚାୟତର ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣ ଉପକୃତ ହୋଇପାରନ୍ତେ । ମାତ୍ର ସରକାରଙ୍କ ବିଭିନ୍ନ ଯୋଜନାରୁ ବଂଚିତ ହେଉଥିବା ଏସବୁ ଅଂଚଳବାସୀ ମୋବାଇଲ ସେବା ଦ୍ୱାରା ହୁଏତ ବହୁ ଉପକୃତ ହୋଇ ପାରିବେ ବୋଲି ଅଂଚଳବାସୀ ପ୍ରକାଶ କରିଛନ୍ତି । ଅତି ଜରୁରୀ ପରିସ୍ଥିତିରେ ଯୋଗାଯୋଗ ପାଇଁ ଲୋକମାନେ ଅତି ଦୟନୀୟ ଅବସ୍ଥା ଭୋଗିବାକୁ ପଡୁଛି । କିଏ ପାହାଡ଼ ତ ପୁଣି କିଏ ଗଛରେ ଚଢି କଥା ହେଉଥିବା ବେଳେ କିଛି ବ୍ୟକ୍ତି ନିର୍ଦ୍ଦିଷ୍ଟ କିଛି ସ୍ଥାନରେ ମୋବାଇଲକୁ ରଖି କଥା ହେବାକୁ ପଡୁଛି । ବିଶେଷକରି ସ୍ୱାସ୍ଥ୍ୟସେବା ହେଉକି ଅଗ୍ନିକାଣ୍ଡ ଓ ବିଭିନ୍ନ ଦୁର୍ଘଟଣା ଘଟିଲେ ଜରୁରୀ କାଳିନ ପରିସ୍ଥିତିରେ ଆମ୍ବୁଲାନ୍ସ କିମ୍ବା ଦମକଳ କେନ୍ଦ୍ର ସହ ଯୋଗାଯୋଗ ହୋଇ ପାରୁନଥିବା ବେଳେ ଅନେକ ବ୍ୟକ୍ତି ମୃତ୍ୟୁ ମୁଖରେ ପଡୁଛନ୍ତି । ଗୋଟିଏ ପାଶ୍ୱର୍ରେ ଦେଖିବାକୁ ଗଲେ ଏସବୁ ଅଂଚଳ ମାଓ ଅଧ୍ୟୁଷିତ ଅଂଚଳ ଭାବେ ବେଶ୍ ଜଣାଶୁଣା ଥିବା ବେଳେ ପ୍ରଶାସନ ଏହାକୁ ଦୃଷ୍ଟିରେ ରଖି ଟାୱାର ନିର୍ମାଣ କିମ୍ବା ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଆଗ୍ରହ ପ୍ରକାଶ କରୁନଥିବା କୁହାଯାଉଥିବା ବେଳେ ସରକାର ଏବେ ନୟାଗଡ ଜିଲ୍ଲାକୁ ମାଓ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରିଛନ୍ତି । ତେବେ ଟାୱାର ନିର୍ମାଣ ପାଇଁ ଏବେ କୈାଣସି ପ୍ରତିବନ୍ଧକ ନଥିବା ବେଳେ ଏସବୁ ଅଂଚଳ ପ୍ରତି ତୁରନ୍ତ ପ୍ରଶାସନ ଦୃଷ୍ଟି ଦେବା ପାଇଁ ଦାବି ହେଉଛି ।






