ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ପିଆଜ ଦର ହୁ ହୁ ହୋଇ ବଢି ଚାଲିଥିବା ବେଳେ ବର୍ତ୍ତମାନ ଦର ଖସିବା ଆରମ୍ଭ ହୋଇଛି । ପାଇକାରୀ ବଜାରରେ ଗତ ୪ଦିନରେ ପିଆଜ କ୍ୱିଣ୍ଟାଲ ପିଛା ୪ଶହ ଟଙ୍କା ହ୍ରାଇ ପାଇଛି । ପିଆଜର ପାଇକାରୀ ମୂଲ୍ୟ ପ୍ରତି କ୍ୱିଣ୍ଟାଲ ବର୍ତ୍ତମାନ ୨୨ଶହରୁ ୨୩ଶହ ଟଙ୍କାରେ ବିକ୍ରି ହେଉଥିବା ବେଳେ ଖୁଚୁଚା ଦର ପ୍ରତି କେଜି ୩୦ରୁ ୩୨ଟଙ୍କାରେ ପହଞ୍ଚିଛି । ନଭେମ୍ବରରୁ ମେ ମାସ ପର୍ୟ୍ୟନ୍ତ ବଜାରରେ ପିଆଜ ମୂଲ୍ୟ ସ୍ଥିର ଥିଲା। ଖୁଚୁରା ଦୋକାନରେ ପିଆଜ ପ୍ରତି କେଜି ୧୮ରୁ ୨୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଜୁନ ମାସରୁ ପିଆଜ ଦର ଚଢିବାରେ ଲାଗିଥିଲା। କେଜି ପିଛା ଦର ୩୫ ଟଙ୍କାରୁ ଉପରକୁ ଉଠିଥିଲା। ଅଚାନକ ପିଆଜ ଦର ବୃଦ୍ଧି ଲାଗି ବ୍ୟବସାୟୀମାନେ ବର୍ଷାକୁ ଦାୟି କରିଥିଲେ। ବାସ୍ତବିକ ବର୍ଷା ଯୋଗୁ ନାସିକରେ ପିଆଜ ବ୍ୟବସାୟୀ ଗୁରୁତର କ୍ଷତିଗ୍ରସ୍ତ ହୋଇଥିଲେ। ସେତେବେଳେ ନାସିକ୍ରୁ ଲୋଡିଂ ହେଉଥିବା ପିଆଜରୁ ପ୍ରଚୁର ଷଢାପୋଚା ବାହାରୁଥିଲା। ଏଣୁ ବଜାରରେ ପିଆଜ ଦର ବଢୁଥିଲା। ଗତ ସପ୍ତାହ ପର୍ୟ୍ୟନ୍ତ ବଜାରରେ ପିଆଜ ମୂଲ୍ୟ କେଜି ପିଛା ୩୫ ଟଙ୍କା ପର୍ୟ୍ୟନ୍ତ ଯାଇଥିଲା। ତେବେ ପାଇକାରୀ ମୂଲ୍ୟ ହ୍ରାସ ସହ ଏବେ ବଜାରରେ ଖୁଚୁରା ଦର ମଧ୍ୟ ହ୍ରାସ ହେଲାଣି। ଯାହା ଗ୍ରାହକଙ୍କୁ ଏବେ ଆଶ୍ୱସ୍ତ କରୁଛି। ଏପଟେ ବଜାରରେ ଏବେ ପିଆଜ ଚାହିଦା ମଧ୍ୟ ହ୍ରାସ ହେଉଥିବା ବ୍ୟବସାୟୀ କହିଛନ୍ତି। ଏଣୁ ଚାହିଦା ହ୍ରାସ ଯୋଗୁ ମଧ୍ୟ ଦର ହ୍ରାସ କରିବାକୁ ବ୍ୟବସାୟୀ ବାଧ୍ୟ ହେଉଥିବା କହିଛନ୍ତି।






