ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ମହୋତ୍ସବ କୃଷି, ପଲ୍ଲିଶ୍ରୀ ଓ ପୁସ୍ତକ ମେଳା ଆଜି ଷଷ୍ଠଦିନରେ ଉଦଯାପିତ ହୋଇଛି । ଚଳିତ ବର୍ଷ ବିଭିନ୍ନ କାରଣରୁ ମହୋତ୍ସବ ମାନ୍ଦା ହୋଇଯାଇଥିଲା । ପ୍ରଥମ ଦୁଇ ଦିନ ଲଗାଣ ବର୍ଷା ଏବଂ ଚତୁର୍ଥ ଦିନଠାରୁ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବାତିଲ ହୋଇଥିଲା । ଫଳରେ ଚଳିତ ବର୍ଷ ମହୋତ୍ସବରେ ଆଖିଦୃଶିଆ ବ୍ୟବସାୟ ହୋଇପାରିନାହିଁ । ୨୦୨୩ ମସିହା ମହୋତ୍ସବ ୫ ଦିନରେ ୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର କାରବାର ହୋଇଥିବା ବେଳେ ଏବର୍ଷ ୬ ଦିନ ମହୋତ୍ସବରେ ୧ କୋଟି ୨୩ ଲକ୍ଷ ଟଙ୍କା ବ୍ୟବସାୟ ହୋଇଥିବା ସୂଚନା ମିଳିଛି । ପ୍ରଥମ ଦିନ ଅର୍ଥାତ ୨୪ ତାରିଖ ୩ ଲକ୍ଷ ୨୦ ହଜାର ୩୨୦ ଟଙ୍କାର କାରବାର ହୋଇଥିବା ବେଳେ ୨୫ ତାରିଖ ୩ ଲକ୍ଷ ୭ ହଜାର ୬୦୭ ଟଙ୍କା, ୨୬ ତାରିଖରେ ୨୧ ଲକ୍ଷ ୬୯ ହଜାର ୭୭୦, ୨୭ ତାରିଖ ୨୬ ଲକ୍ଷ ୩୨ ହଜାର ୭୭୦, ୨୮ ତାରିଖ ୩୯ ଲକ୍ଷ ୩୯ ହଜାର ୩୨ ଟଙ୍କା, ୨୯ ତାରିଖ ୨୯ ଲକ୍ଷ ୯୪ ହଜାର ୯୮୦ ଟଙ୍କା ବ୍ୟବସାୟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଜିଲ୍ଲା ମହୋତ୍ସବ ଶେଷ ସଂନ୍ଧ୍ୟାରେ ବେଶ ଗହଳି ଚହଳି ଲାଗି ରହିଥିଲା ।





