ଇସ୍ଲାମାବାଦ, (ବାଘୁଆବାର୍ତ୍ତା): ଇମ୍ରାନ ଖାନଙ୍କ ନେତୃତ୍ୱାଧୀନ ପାକିସ୍ତାନ ତହରିକ-ଏ-ଇନସାଫ ଉମର ଆୟୁବଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ନାମିତ କରିଛି। ପିଟିଆଇର ଏହି ଘୋଷଣା ନୱାଜ ସରିଫ ତାଙ୍କ ଭାଇ ଶହବାଜ ସରିଫଙ୍କୁ ପାକିସ୍ତାନ ମୁସ୍ଲିମ ଲିଗ୍-ନୱାଜ (ପିଏମଏଲ-ଏନ)ର ନେତା ଘୋଷଣା କରିବାର ଦିନକ ପରେ ଆସିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବେ ଜେଲରେ ବନ୍ଦୀ ଅଛନ୍ତି। ପାକିସ୍ତାନ ସାଧାରଣ ନିର୍ବାଚନରେ ଏବେ ପିଟିଆଇ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦେଶରେ ନିର୍ବାଚିତ ସବୁଠୁ ବଡ଼ ସମୂହ। ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ପିଟିଆଇ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ୧୦୧ଟି ଆସନ ଜିତିଛନ୍ତି। ଏତେ ସଂଖ୍ୟକ ନିର୍ବାଚିତ ସ୍ୱାଧୀନ ପ୍ରାର୍ଥୀ ଥାଇ ସୁଦ୍ଧା କେବଳ ମାନ୍ୟତା ପ୍ରାପ୍ତ ପାର୍ଟି ଅଥବା ପାର୍ଟିମାନେ ମିଳିତ ସରକାର ଗଢିପାରିବେ। ଏଣୁ ପିଟିଆଇର ନିର୍ବାଚିତ ସ୍ୱାଧୀନ ପ୍ରାର୍ଥୀମାନଙ୍କୁ ଏକ ବ୍ଲକ ହେବା ପାଇଁ ଅନ୍ୟ ସମୂହ ସହିତ ସାମିଲ ହେବାକୁ ପଡିବ। ଏହି ଦାୟିତ୍ୱ ଏବେ ଉମର ଆୟୁବ ତୁଲାଇବେ। ତେବେ ଉମର ଆୟୁବ କିଏ ଆସନ୍ତୁ ଜାଣିବା। ୨୬ ଜାନୁୟାରୀ ୧୯୭୦ରେ ଜନ୍ମିତ ଉମର ଆୟୁବଙ୍କ ଜେଜ ଜେନେରାଲ ମହମ୍ମଦ ଆୟୁବ ଖାନ ପାକିସ୍ତାନର ଦ୍ୱିତୀୟ ରାଷ୍ଟ୍ରପତି ଥିଲେ। ତାଙ୍କ ପିତା ଗୌହର ଆୟୁବ ଖାନଙ୍କ ରାଜନୈତିକ କ୍ୟାରିୟର ମଧ୍ୟ ଦେଶ ନିମନ୍ତେ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। ସେ ନ୍ୟାସନାଲ ଆସେମ୍ବ୍ଲି ସଦସ୍ୟ ସମେତ ବିଭିନ୍ନ ମନ୍ତ୍ରୀ ପଦରେ ମଧ୍ୟ କାର୍ଯ୍ୟ କରିଥିଲେ। ଉମର ଆୟୁବଙ୍କ ଶିକ୍ଷା ପାକିସ୍ତାନ ଓ ବିଦେଶର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରୁ ହାସଲ କରିଛନ୍ତି। ସେ ଇମ୍ରାନଙ୍କ ପିଟିଆଇରେ ଯୋଗ ଦେଇ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ଗତ ବର୍ଷମାନଙ୍କରେ ଉମର ଆୟୁବ ପିଟିଆଇ ଓ ସରକାରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀର ଦାୟିତ୍ୱ ତୁଲାଇଛନ୍ତି। ସେ ଆର୍ଥିକ ବ୍ୟାପର, ଶକ୍ତିମନ୍ତ୍ରୀ ଓ ପେଟ୍ରୋଲିୟମ ମନ୍ତ୍ରୀ ସମେତ ଅନେକ ପଦପଦବୀରେ କାମ କରିଛନ୍ତି। ଏବେ ତାଙ୍କ ନେତୃତ୍ୱରେ ଦଳ ଦେଶରେ ସରକାର ଗଢିବାର ଯୋଜନା ପ୍ରସ୍ତୁତ କରୁଛି। ଏଥି ପାଇଁ ଉମର ଆୟୁବଙ୍କୁ ପାର୍ଟି ପକ୍ଷରୁ ପ୍ରଧାନମନ୍ତ୍ରୀ ପଦ ନିମନ୍ତେ ନାମିତ କରାଯାଇଛି।






