ଅଲୱର (ବାଘୁଆବାର୍ତ୍ତା): ରାଜସ୍ଥାନର ଅଲୱରରେ ପତଞ୍ଜଳି ବ୍ରାଣ୍ଡ ନାମରେ ସୋରିଷ ତେଲର ପ୍ୟାକିଂ କରୁଥିବା ଏକ ଅଏଲ ମିଲ୍କୁ ସିଜ୍ କରାଯାଇଛି । ମିଲ୍ରେ ପତଞ୍ଜଳିର ପ୍ରଚୁର ମାତ୍ରାରେ ପ୍ୟାକିଂ ସାମଗ୍ରୀ ଜବତ ହୋଇଛି । ଅଭିଯୋଗ ଯେ, ପତଞ୍ଜଳି ନାମରେ ଅପମିଶ୍ରଣ ସୋରିଷ ତେଲ ସପ୍ଲାଇ କରାଯାଉଛି । ପୂରା ମିଲ୍କୁ ଭିଡ଼ିଓଗ୍ରାଫି କରାଯାଇଛି ଏବଂ ଏହାର ସାମ୍ପଲ ମଧ୍ୟ ନିଆଯାଇଛି । କୁହାଯାଉଛି କି ଅଲୱର ଜିଲ୍ଲା ପ୍ରଶାସନ ବିଳମ୍ୱିତ ରାତ୍ରିରେ ଖୈରଥଲରେ ଅସ୍ମାଇଲପୁର ରୋଡ୍ ସ୍ଥିତ ଔଦ୍ୟୋଗିକ ଅଞ୍ଚଳରେ ଥିବା ସିଂଘାନିଆ ଅଏଲ ମିଲ୍ରେ ଚଢ଼ାଉ କରି ସିଲ୍ କରିଛି । ଏହାପରେ ଗୁରୁବାର ସନ୍ଧ୍ୟାରେ ଯାଞ୍ଚ କମିଟିର ଟିମ୍ ଏସ୍ଡିଏମ୍ ଅଲୱର ଯୋଗେଶ ଡାଗୁରଙ୍କ ନେତୃତ୍ୱରେ ଫ୍ୟାକ୍ଟ୍ରିରେ ପହଞ୍ଚି ମାମଲାର ଯାଞ୍ଚ କରିଥିଲେ । ଏବେ ଅଲୱର ଜିଲ୍ଲା ପ୍ରଶାସନ ପଚାରିବାରୁ ଅଏଲ ମିଲ୍ର ମାଲିକ କହିଥିଲେ କି ମୋ ପାଖରେ ବାବା ରାମଦେବଙ୍କ ପତଞ୍ଜଳିର ସାମଗ୍ରୀ ପ୍ୟାକିଂର ଅନୁମତି ଅଛି । ଫ୍ୟାକ୍ଟ୍ରିରୁ ପ୍ରଶାସନକୁ ପତଞ୍ଜଳି ବ୍ୟତୀତ ଶ୍ରୀ ଶ୍ରୀ ଅଏଲ୍ ବ୍ରାଣ୍ଡର ରାପର୍ ମିଳିଲା । କୁହାଯାଉଛି କି ଖୈରଥଲର ଏହି ଫ୍ୟାକ୍ଟ୍ରିରୁ ପ୍ରଚୁର ପରିମାଣରେ ସୋରିଷ ତେଲ ବାବା ରାମଦେବଙ୍କର କମ୍ପାନୀ ପତଞ୍ଜଳିକୁ ଯାଇଥାଏ । ପତଞ୍ଜଳି ଏହି ତେଲ ନିଜର ବ୍ରାଣ୍ଡର ଷ୍ଟାମ୍ପ ଲଗେଇ ବିକ୍ରି କରିଥାଏ ।






