କୋରାପୁଟ, (ବାଘୁଆବାର୍ତ୍ତା): କୋଟିଆ ପଞ୍ଚାୟତ ନେରେଡ଼ିବାଲସା ସୀମାରେ ଓଡ଼ିଶା ପକ୍ଷରୁ ସ୍ୱାଗତ ଫଳକ ସହ ଆନ୍ଧ୍ର ଦଲାଲଙ୍କ ଦ୍ୱାରା ବିକୃତ କରାଯାଇଥିବା ବିଭିନ୍ନ ଗାଁର ନାମଫଳକକୁ ପୁଣିଥରେ ସ୍ଥାପନ କରାଯାଇଛି । ଜିଲ୍ଲା ପ୍ରଶାସନ ନୂତନ ଭାବେ ଲେଖି ପୂର୍ବସ୍ଥାନରେ ଏହାକୁ ସ୍ଥାପନ କରିଛି । କୋଟିଆ ପଞ୍ଚାୟତ ନେରେଡ଼ିବାଲସା ସୀମାରେ ଓଡ଼ିଶା ପକ୍ଷରୁ ପୋତାଯାଇଥିବା ସୀମା ଫଳକକୁ ଆନ୍ଧ୍ର ଦଲାଲଙ୍କ ପକ୍ଷରୁ ବିକୃତ କରାଯାଇଥିଲା । ଗୁରୁବାର ପଟ୍ଟାଙ୍ଗି ଭାରପ୍ରାପ୍ତ ବିଡ଼ିଓ କୃଷ୍ଣଚନ୍ଦ୍ର ବିଶ୍ୱାସରାୟଙ୍କ ସହିତ କନିଷ୍ଠଯନ୍ତ୍ରୀ ଅଜୟରାମ ତରାଇ, ପିଇଓ ନବକିଶୋର ପ୍ରଧାନ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ । ନେରେଡ଼ିବାଲସା, ତାଡ଼ିବାଲସା ଓ ଉପରସେମ୍ବିରେ ଥିବା ନାମଫଳକ ଆଉଥରେ ଲେଖିବା ସହିତ ଓଡ଼ିଶା ସୀମାରେ ମଧ୍ୟ ସୀମା ଫଳକ ପୋତାଯାଇଥିଲା । ସୂଚନାଥାଉକି, ଗତ ୨୮ ତାରିଖରେ ନେରେଡ଼ିବାଲସା, ତାଡ଼ିବାଲସା ଓ ଉପରସେମ୍ବିରେ ଓଡ଼ିଆରେ ଲେଖାଥିବା ଗାଁର ନାମଫଳକ ଓ ସୀମାନ୍ତ ସ୍ୱାଗତ ଫଳକକୁ ଆନ୍ଧ୍ର ଅଧିକାରୀଙ୍କ ପ୍ରରୋଚନାରେ ପଡ଼ି ଦଲାଲମାନେ ଲିଭାଇ ବିକୃତ କରିଥିଲେ ।






