ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ପଙ୍ଗପାଳ ଆସିବାକୁ ନେଇ ଗତ କିଛିଦିନ ଚର୍ଚ୍ଚା ଲାଗି ରହିଛି । ଏହା ମଧ୍ୟରେ ମଧ୍ୟପ୍ରଦେଶ ଓ ଛତିଶଗଡ଼ ସୀମାନ୍ତରେ ପଙ୍ଗପାଳ ପହଂଚି ସାରିଛନ୍ତି । ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଏହି ସଂମ୍ପର୍କରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଓଡ଼ିଶାକୁ ପଙ୍ଗପାଳ ବିପଦ ନାହିଁ ବୋଲି କହି ହେବ ନାହିଁ ବୋଲି ପ୍ରକାଶ କରିଛନ୍ତି । ବିଭାଗ ପକ୍ଷରୁ ଓଡ଼ିଶାକୁ ତିନୋଟି ଜୋନ୍ରେ ବିଭକ୍ତ କରାଯାଇ ମୁକାବିଲା ପ୍ରସ୍ତୁତି ଚାଲିଥିବା କହିଛନ୍ତି । ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ ୯ଟି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଥିବା ବେଳେ ମଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭାବେ ଅନ୍ୟ ୯ଟି ଜିଲ୍ଲା ଏବଂ କମ ଗୁରୁତ୍ୱପୂର୍ଣ୍ଣ ଭାବେ ପୂର୍ବ ଓଡ଼ିଶାର ୧୨ଟି ଜିଲ୍ଲାକୁ ସାମିଲ କରାଯାଇଛି । ପ୍ରତ୍ୟେକ ଜିଲ୍ଲାରେ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା କରାଯାଇଛି । ଏହା ସହିତ ଭୂବନେଶ୍ୱରରେ ମଧ୍ୟ କଣ୍ଟ୍ରୋଲ ରୁମ ଖୋଲା ଯାଇଛି । ପଙ୍ଗପାଳ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଡ. ସାହୁ କହିଛନ୍ତି ।






