ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆଜି ସଦଭାବନା ସଭାଗୃହରେ ଓଡ଼ିଶା ଦିବସ ପାଳନ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର ପ୍ରମୂଖ ଉପସ୍ଥିତ ରହିଥିଲେ । ବିଦ୍ୟାଳୟଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଅନୁଷ୍ଠାନରେ ଓଡ଼ିଶା ଦିବସ ପାଳନକୁ ଗୁରୁତ୍ୱ ଦିଆଯାଇଥିଲା । ଏହା ସହିତ ଜିଲ୍ଲା ସ୍ତରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରଶାସନିକ ଅଧିକାରୀମାନେ କୁନ୍ଥୁକୁନ୍ଥୁ ହୋଇଥିଲେ । ଆବଶ୍ୟକ ଖର୍ଚ୍ଚ ଅର୍ଥ ଅଭାବକୁ ନେଇ ଆଲୋଚନା ହୋଇଥିଲା । ପରେ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ପ୍ରଥମେ ସୃଜନ ସଭାଗୃହରେ କାର୍ଯ୍ୟକ୍ରମ କରିବାକୁ ଆଲୋଚନା ହୋଇଥିବା ବେଳେ ଉପସ୍ଥିତ ବହୁ ବ୍ୟକ୍ତି ପୁଲିସ ପଡ଼ିଆରେ କାର୍ଯ୍ୟକ୍ରମ କରିବାକୁ ମତ ଦେଇଥିଲେ । ଫଳରେ ଆଗାମୀ ଦିନରେ ସ୍ଥାନ ନିରୂପଣ କରି ଅପ୍ରେଲ ୧ ଏବଂ ୨ ତାରିଖ କାର୍ଯ୍ୟକ୍ରମ କରିବାକୁ ସ୍ଥିର ହୋଇଛି । ଏହି ବୈଠକରେ ରାଜନୈତିକ ବ୍ୟକ୍ତିତ୍ୱ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ ।





