ରାଜ୍ୟରେ ମୋଟ ୭୪ ଆକ୍ରାନ୍ତ
ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତିକୁ ନେଇ ସରକାର ବ୍ୟାପକ ପ୍ରସ୍ତୁତି ଚଳାଇଥିବା ବେଳେ ଆଜି ଗୋଟିଏ ଦିନରେ ୧୩ ଜଣ ରୋଗୀ ଚିହ୍ନଟ ହେବା ଘଟଣା ରାଜ୍ୟକୁ ଦୋହଲାଇ ଦେଇଛି । ବର୍ତ୍ତମାନର ସ୍ଥିତିରେ ରାଜ୍ୟର ମୋଟ ୭୪ ଜଣ ଆକ୍ରାନ୍ତ ଥିବା ଜଣାଯାଇଛି । ନିଜାମୁଦ୍ଦିନ ଘଟଣାରେ ବ୍ୟାପକ କରୋନା ରୋଗୀ ଓଡ଼ିଶାରେ ଦେଖା ଯାଇଥିବା ବେଳେ ଆଜି ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ ସୁନ୍ଦରଗଡ଼ ଜିଲ୍ଲାର ୧୩ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୪ ଜଣ ପଶ୍ମିମବଙ୍ଗ ଫେରନ୍ତା ବୋଲି ଜଣାପଡ଼ିଛି । ଏଥି ନିମନ୍ତେ ରାଜ୍ୟ ସରକାର ଉଦ୍ବେଗ ପ୍ରକାଶ ସହିତ ପଶ୍ଚିମ ବଙ୍ଗର ଫେରୁଥିବା ବ୍ୟକ୍ତିଙ୍କୁ ନିଜ ଆଡ଼ୁ ଜଣାଇବା ପାଇଁ ପରାମର୍ଶ ଦେଇଛନ୍ତି । ୧୪ ଦିନ କ୍ୱାରେଣ୍ଟାଇନରେ ରହିଲେ ସେମାନଙ୍କୁ ରାଜ୍ୟ ସରକାର ମାଗଣା, ଖାଇବା, ରହିବା ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ସହିତ ୨ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ବୋଲି ଜଣାଯାଇଛି ।






