ଓଡ଼ଗାଁ, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୋମଣ୍ଡ ପଞ୍ଚାୟତ ମକରପଦାରେ ଥିବା +୨ ମହିଳା କଲେଜ କୋମଣ୍ଡ ପଛପାଖ କିଛି ଦୂରରେ ଥିବା ଜଳପୂର୍ଣ୍ଣ ମାଙ୍କଡ଼ା ପଥର ଖାଦନରୁ ଗତବର୍ଷ ସେପ୍ଟମ୍ବର ୨ ତାରିଖରେ ଜଣେ ଯୁବତୀଙ୍କ ମୃତ ଶରୀରକୁ ଉଦ୍ଧାର କରାଯାଇଥିଲା । ଘଟଣାକୁ ଚପାଇ ଦେବାକୁ ଗୋପନରେ ଶବକୁ ସତ୍କାର କରିବାକୁ ଉଦ୍ୟମ କରୁଥିବା ସମୟରେ ଓଡ଼ଗାଁ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା । ମୃତ ଯୁବତୀ ଜଣକ ମକରପଦା ବାବୁଲା ବେହେରାଙ୍କ ବଡ଼ ଝିଅ ରଶ୍ମିତ ବେହେରା। ରଶ୍ମିତା ଆତ୍ମହତ୍ୟା କରିଥିବା ନେଇ ବାପା ଥାନାରେ ଅଭିଯୋଗ କରିଥିଲେ ।
ପୁଲିସ ଏହି ଘଟଣାର ଖୋଳତାଡ଼ କରି ବର୍ଷେ ପରେ ହତ୍ୟା ହୋଇଥିବା ନେଇ ସ୍ପଷ୍ଟ କରିଛି । ହତ୍ୟାକାରୀ ଅନ୍ୟ କେହି ନୁହେଁ, ତାର ବାପା ବୋଲି ଜଣାଯାଇଛି । ରଶ୍ମିତାକୁ ଦଉଡ଼ି ସାହାର୍ଯ୍ୟରେ ତଣ୍ଟି ଚିପି ହତ୍ୟା କରାଯାଇଥିବା ଶବ ବ୍ୟବଚ୍ଛେଦ ରିର୍ପୋଟରୁ ସ୍ପଷ୍ଟ ହୋଇଥିବା ଓଡ଼ଗାଁ ଥାନା ପୁଲିସ ପକ୍ଷରୁ ସୂଚନା ମିଳିଛି । ସେହି ଆଧାରରେ ପୁଲିସ ହତ୍ୟାକାରୀ ବାପା ବାବୁଲା ବେହେରାକୁ ଗିରଫ କରିଛି । ରଶ୍ମିତାଙ୍କ ବିବାହ ସ୍ଥିର ହୋଇଥିବା ବେଳେ ସେ ଉକ୍ତ ବିବାହରେ ରାଜି ନଥିଲା । ଯାହାକୁ ନେଇ ବାପା ବାବୁଲା ଝିଅକୁ ଯୋଜନା ବଦ୍ଧ ଭାବେ ହତ୍ୟା କରିଥିବା ପୁଲିସ ସୁତ୍ରରୁ ସୂଚନା ମିଳିଛି । ଓଡ଼ଗାଁ ଆଦର୍ଶ ଥାନା ଏସଆଇ ଚକ୍ରଧର ସିଂଙ୍କ ଅଭିଯୋଗ ଅନୁସାରେ ହତ୍ୟାକାରୀ ବାବୁଲା ବେହେରାକୁ କୋର୍ଟ ଚାଲାଣ କରାଯାଇଛି ।





