ବିଦ୍ୟୁତ୍ ତାର ପାଇଁ ଗାଁରେ ପଶି ପାରିଲାନି ଦମକଳ
ଓଡ଼ଗାଁ, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସାକେରୀ ଗ୍ରାମ ନୂଆସାହିରେ ଗ୍ୟାସ ଟାଙ୍କି ଫାଟି ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି । ମିଳିଥିବା ସୂଚନାନୁସାରେ, ଉକ୍ତ ଗ୍ରାମର ସାଗର ପ୍ରଧାନ ଏବଂ ଶ୍ରୀଧର ପ୍ରଧାନ ଦୁଇ ଭାଇଙ୍କ ଘରେ ଆଜି ଗ୍ୟାସଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଛି । ପରିବାର ଲୋକେ କ୍ଷୀର ଗରମ କରୁଥିବା ବେଳେ ଗ୍ୟାସ ଲିକ ହୋଇଥିଲା । ଯାହା ଫଳରେ ଭୟାବହ ଅଗ୍ନିକାଣ୍ଡ ଘଟିବାରୁ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବରପାଇ ଦମକଳ ଗାଡ଼ି ଗାଁକୁ ଆସିଥିଲା, ମାତ୍ର ବିଦ୍ୟୁତ୍ ବିଭାଗର ଅପାରଗତା ପାଇଁ ଗାଁ ମଝିରେ ତାର ଓହଳି ପଡ଼ିଥିବା ଯୋଗୁଁ ଦମକଳ ଗାଡ଼ି ଗାଁ ଭିତରକୁ ପ୍ରବେଶ କରି ପାରିନଥିଲା । ଫଳରେ ସଠିକ ସମୟରେ ନିଆଁ ଲିଭା ଯାଇ ପାରିନଥିବା କାରଣରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା ମିଳିଛି ।






