ଓଡ଼ଗାଁ(ବାଘୁଆବାର୍ତ୍ତା)ଦେଶରେ ପେଟ୍ରୋଲ ଡିଜେଲ ଦର ୧୦୦ ଟଙ୍କାରୁ ଉର୍ଦ୍ଧ୍ବ । ସମସ୍ତ ନିତ୍ୟବ୍ୟବହାର୍ୟ୍ୟ ଜିନିଷର ଦର ଆକାଶଛୁଆଁ। ଦରବୃଦ୍ଧିକୁ ପ୍ରତିବାଦ କରି ଆଜି ଓଡ଼ଗାଁ ବ୍ଲକ କଂଗ୍ରେସ ଦିବା ୧୦ ଘଟିକା ସମୟରେ ସ୍ଥାନୀୟ ରାଧାକୃଷ୍ଣ ପେଟ୍ରୋଲ ପମ୍ପ ନିକଟରେ ୨ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ବିକ୍ଷୋଭ ପ୍ରଦର୍ଶନ କରାଯାଇଅଛି । ବ୍ଲକ କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ,ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଜ୍ୟୋତି ରଞ୍ଜନ ଦାଶ ,କଂଗ୍ରେସ ନେତା ବସନ୍ତ କର ,ବିଭୁତି ରାଉତ ,ସୋମନାଥ ସାହୁ ,ରାଧାକାନ୍ତ ମହାପାତ୍ର ,ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ,ଜଗନ୍ନାଥ ନାୟକ ,ନିରଞ୍ଜନ ରାଉତ, ସୁରେଶ ଚନ୍ଦ୍ର ମାଝୀ ,ସତ୍ୟଜିତ ପ୍ରଧାନ ପ୍ରମୁଖ ବିକ୍ଷୋଭରେ ସାମିଲ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ସ୍ଲୋଗାନ ଦିଆଯାଇଥିଲା। କରୋନା ମହାମାରୀ କାଳରେ ଲୋକଙ୍କୁ କାମ ମିଳୁନାହିଁ। ରୋଜଗାରର ଠିକଣା ନାହିଁ, ଠିକ୍ ଏହି ସମୟରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦର ଅକଳ୍ପନୀୟ ଭାବେ ମହଙ୍ଗା କରିଛନ୍ତି। ନିତ୍ୟ ବ୍ୟବହାର୍ୟ୍ୟ ଖାଦ୍ୟ ସାମଗ୍ରୀର ଦରଦାମ ଦୁଇଗୁଣ ତିନି ଗୁଣ ବଢ଼ିଛି। ଦରଦାମ ନିୟନ୍ତ୍ରଣ କେନ୍ଦ୍ର ସରକାର ଓ ଆବଶ୍ୟକ ସ୍ଥଳେ ରାଜ୍ୟ ସରକାରଙ୍କ କାମ। କିନ୍ତୁ ଆଜି ଦେଖିବାକୁ ମିଳୁଛି ଯେ ପେଟ୍ରୋଲ ଡିଜେଲ ଗ୍ୟାସ୍ ଦର ଯାହା କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାରେ ସ୍ଥିରୀକୃତ ହୁଏ ତାହା ଲିଟର ପିଛା ଶହେ ଟଙ୍କା ପାର୍ କରିଛି। ଆଜି ଯେତେବେଳେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ଯଥେଷ୍ଟ ହ୍ରାସ ପାଇଛି, ଯାହାକି ଆମେ ଆମଦାନୀ କରୁଛୁ ତଥାପି ପେଟ୍ରୋଲ ଡିଜେଲ ଦର ଶହେ ଟଙ୍କା ପାର୍ କରିଛି। ତେଣୁ କେନ୍ଦ୍ରରୁ ମୋଦୀ ସରକାରକୁ ହଟେଇବା ପାଇଁ ଆଗାମୀ ଦିନରେ କଂଗ୍ରେସ ଦଳ ତରଫରୁ ରାଜରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନକୁ ତୀଵ୍ରତର କରାଯିବ ବୋଲି ବ୍ଲକ କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ ଚେତାବନୀ ଦେଇଛନ୍ତି।





