ଓଡ଼ଗାଁ, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଓଡ଼ଗାଁ କଲେଜ ରୋଡ଼ ଦଲକ ଠାରେ ଏକ ସିରିଜ୍ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ବାଉଁଶିଆପଡ଼ା ଗ୍ରାମର ଅନ୍ତର୍ଯ୍ୟାମୀ ସାହୁ (୪୫)ଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ବ୍ୟକ୍ତି ଜଣଙ୍କ ହେଲେ ସ୍ଥାନୀୟ ସରସ୍ୱତି ଶିଶୁମନ୍ଦିର ଗଳିରେ ଭଡ଼ାରେ ରହୁଥିବା ଗିରିଡ଼ିପଲ୍ଲୀ ପଂଚାୟତ ଧଝୋଲା ଗ୍ରାମର ମୂରଲୀଧର ଡାକୁଆ(୬୫) । ସୂଚନାନୁସାରେ, ଘରୋଇ ଯାତ୍ରୀବାହି ବସ ନାରାୟଣୀ ସନ୍ତୋଷୀ ମା’ ମନ୍ଦିର ନିକଟରେ ଯାତ୍ରୀ ଓଲ୍ଲାଉଥିଲା । ଏହି ସମୟରେ ଏକ ଧାନ ବୋଝେଇ ଟ୍ରକ(ଓଆର୍୦୨ଇ ୪୨୮୨) ସେହି ସ୍ଥାନରେ ପହଁଚିବା ବେଳେ ଭାରସାମ୍ୟ ହରାଇ ବାଇକ ସହିତ ଧକ୍କା ହୋଇଥିଲା । ଦୃର୍ଘଟଣାରେ ବାଇକ ଚାଳକଙ୍କ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ଖବରପାଇ ଘଟଣାସ୍ଥଳରେ ଓଡ଼ଗାଁ ଆଦର୍ଶ ଥାନା ଅଧିକାରୀ ପ୍ରଜ୍ଞା ପରମିତା ଜେନା ଏବଂ ଅନ୍ୟ ପୁଲିସ କର୍ମଚାରୀମାନେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି । ତା ସହିତ ଗୁରୁତର ମୁରଲୀଧରଙ୍କୁ ଚିକିତ୍ସା ନିମନ୍ତେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି ।





