ଠକେଇ ପରିମାଣ ୧୪ କୋଟି ଛୁଇଁଲା
ଓଡ଼ଗାଁ,(ବାଘୁଆବାର୍ତ୍ତା); ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଭାଲିଆଡିହି ଗ୍ରାମରେ କିଛିଦିନ ତଳେ ଛତିଶଗଡ଼ ପୁଲିସ ଚଢ଼ାଉ କରି ଜଣଙ୍କୁ ଗିରଫ କରିଥିଲା । ଗତକାଲି ସନ୍ଧ୍ୟାରେ ପୁଣିଥରେ ଚଢ଼ାଉ କରି ଏକ ଗାଡ଼ି ଜବତ କରାଯାଇଛି । ଏଥିସହିତ ଠକେଇ ପରିମାଣ ୯ କୋଟିରୁ ବଢ଼ି ୧୪ କୋଟି ଛୁଇଁଥିବା ଜଣାଯାଇଛି । ଭାଲିଆଡିହି ଗ୍ରାମର କେଶବ ମହାନ୍ତିଙ୍କ ପୁଅ ରୁଦ୍ରମାଧବ ମହାନ୍ତିଙ୍କ ଛତିଶଗଡ଼ରେ ଏକ ଘରୋଇ ବ୍ୟାଙ୍କର ଅର୍ଥ ଲଗାଣ ସଂସ୍ଥାରେ କାମ କରୁଥିଲେ । ସେଠାରୁ ବିଭିନ୍ନ ଲୋକଙ୍କ ଆକାଉଣ୍ଟ ଜରିଆରେ ବହୁ ଅର୍ଥ ଠକେଇ କରି ଦୁଇ ମାସ ହେବ ଓଡ଼ିଶା ଚାଲି ଆସିଥିଲେ । ଆଜି ଛତିଶଗଡ଼ ପୁଲିସର ୧୦ ଜଣିଆ ଟିମ ଗତ ୧୬ ତାରିଖରେ ନୟାଗଡ଼ ଆସି ଓଡ଼ଗାଁ ପୁଲିସ ସହାୟତା ନେଇଥିଲେ । ଆଦର୍ଶ ଥାନା ଅଧିକାରୀ ପ୍ରଜ୍ଞାପାରିମିତା ଜେନାଙ୍କ ନେତୃତ୍ୱରେ ଓଡ଼ଗାଁ ପୁଲିସ ଭାଲିଆଡିହି ଗ୍ରାମରେ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲେ । ଗତକାଲି ସଂନ୍ଧ୍ୟାରେ ପୁଣି ଥରେ ରୁଦ୍ରଙ୍କ ଘର ଉପରେ ଛତିଶଗଡ଼ ଏବଂ ଓଡ଼ଗାଁ ପୁଲିସ ଚଢ଼ାଉ କରିଥିବା ଜଣାଯାଇଛି । ରୁଦ୍ରଙ୍କ ପରିବାର ଘରେ ତାଲା ପକାଇ ଚାଲି କେଉଁ ଆଡ଼େ ଚାଲି ଯାଇଥିବାରୁ ବାହାରେ ଥିବା ଏକ ଟାଟା କାରକୁ ଜବତ କରାଯାଇଥିବା ସୂଚନା ମିଳିଛି । ଅନ୍ୟପକ୍ଷେ, ଠକେଇ ପରିମାଣ ୯ କୋଟିରୁ ବୃଦ୍ଧି ପାଇ ୧୪ କୋଟିରେ ପହଞ୍ଚିଥିବା ପୁଲିସ ସୁତ୍ରରୁ ସୂଚନା ମିଳିଛି । ଛତିଶଗଡ଼ ପୁଲିସ ଏହି ଘଟଣାର ଛାନଭିନ କରୁଥିବା ବେଳେ ରୁଦ୍ର ଓଡ଼ିଶା ଆସିବା ପରେ ନିଶା କାରବାରରେ ସାମିଲ ଥିବା ଆଲୋଚନା ହେଉଛି ।






