ନୟାଗଡ଼, (ବାଘୁଆବାର୍ତ୍ତା) : ଦଶପଲ୍ଲା ବିଡିଓଙ୍କୁ ଆକ୍ରମଣ ଘଟଣାରେ ଆଜି ଓଡ଼ିଶା ପ୍ରଶାସନିକ ସେବା ସଂଘ ନିଷ୍ପତ୍ତି ଅନୁସାରେ ଅଧିକାରୀମାନେ କଳାବ୍ୟାଚ ପରିଧାନ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟଙ୍କ ସମେତ ଜିଲ୍ଲାର ୨୪ ଜଣ ଅଧିକାରୀ କଳାବ୍ୟାଚ ପରିଧାନ କରିଥିବା ନୟାଗଡ଼ ଶାଖା ସଂଘ ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସୂଚନାନୁସାରେ ଦଶପଲ୍ଲା ବିଡିଓଙ୍କୁ ମରଣାନ୍ତକ ଉଦ୍ଦେଶ୍ୟରେ ବାସଗୃହ ଉପରେ ଗତ ୧୪ ତାରିଖରେ ଆକ୍ରମଣ କରାଯାଇଥିଲା । ଏହା ଭିତରେ ଘଟଣାକୁ ୩ ଦିନି ବିତି ସାରିଥିବା ବେଳେ ପୁଲିସ କାହାକୁ ଗିରଫ କରି ପାରି ନାହିଁ । ଯାହାକୁ ନେଇ ଗତକାଲି ସଂଘର ଏକ ଜରୁରିକାଳୀନ ବୈଠକ ବସି କଳାବ୍ୟାଚ ପରିଧାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଓଏଏସ୍ ସଂଘର ନିଷ୍ପତ୍ତି ଅନୁଯାୟୀ ୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତମାନେ ଗିରଫ ନହେଲେ ଶୁକ୍ରବାରଠାରୁ କଲମ ଛାଡ଼ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଦଶପଲ୍ଲା ଥାନା ଅଧିକାରୀ ଅଭିଯୁକ୍ତଙ୍କ ପ୍ରତି ଅହେତୁକ ଅନୁକମ୍ପା ଦେଖାଇବା ଘଟଣାକୁ ନିନ୍ଦା କରାଯାଇଥିବା ବେଳେ କୋହଳ ଦଫା ଲଗାଇଛନ୍ତି । ଯାହାକୁ ନେଇ ଏହି ଘଟଣାର ତଦନ୍ତ ଭାର ଜଣେ ଡିଏସ୍ପି ପାହ୍ୟା ଅଧିକାରୀଙ୍କୁ ଦେବା ପାଇଁ ଦାବି କରାଯାଇଛି । ଜିଲ୍ଲାର ସମସ୍ତେ ଡେପୁଟି କଲେକ୍ଟର, ବିଡିଓ ଓ ତହସିଲଦାରମାନେ କଳାବ୍ୟାଚ ପିରିଧାନ କରିଥିବା ଜଣାଯାଇଛି ।





