ପୁଲିସ ଜାଣି ହୋଇଗଲା କି ଫେରାର !
ନୟାଗଡ଼,(ବାଘୁଆବାର୍ତ୍ତା): ନୂଆଗାଁ ଥାନା ଅଞ୍ଚଳରେ ଏକ କାର ଚୋରୀ ଗିରଫ ହୋଇଥିବା ପଞ୍ଚରିଡ଼ା ମାନପୁର ଗ୍ରାମର ଅନୀଲ ମୁଦୁଲିକୁ ଚାଲାଣ ବେଳେ ଫେରାର ହେବାକୁ ଦୁଇ ଦିନ ବିତିଲାଣି । ଏହା ଭିତରେ ପୁଲିସ ଅନୀଲର ସନ୍ଧାନ ମଧ୍ୟ ପାଇ ନଥିବା ଜଣାଯାଇଛି । ଏହି ଘଟଣାରେ ଅଭିଯୁକ୍ତ ଅନୀଲ ନାମରେ ପୁଣି ଏକ ମାମଲା ରୁଜୁ କରିବାକୁ ନୟାଗଡ଼ ଏସପି ସିଦ୍ଧାର୍ଥ କାଟରିଆ ନିର୍ଦ୍ଦେଶ ଦେଇଥିବା ବେଳେ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ଉପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଥାନାର ୩ ଜଣ ପୁଲିସ କର୍ମଚାରୀ ତାଙ୍କୁ କୋର୍ଟକୁ ଆଣିଥିବା ବେଳେ ଅନୀଲ ଫେରାର ହୋଇଯାଇଥିଲା । ନୟାଗଡ଼ ଟାଉନଥାନା ପୁଲିସ, ନୂଆଗାଁ ପୁଲିସ ଅନୀଲକୁ ଠାବ କରିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଛି । ଶୁଣା ଯାଉଛି, ଅନୀଲ ଫେରାର ପଛରେ କିଛି ପୁଲିସ ଅଧିକାରୀ ସାମିଲ ଅଛନ୍ତି । ପୁଲିସ ଅଧିକାରୀଙ୍କ ଯୋଜନା ମୁତାବକ ଏଭଳି କାଣ୍ଡ ଘଟିଛି । ନହେଲେ ଜଣେ ଅପରାଧିଙ୍କୁ ମାତ୍ର ୩ ଜଣ କର୍ମଚାରୀ କାହିଁକି କୋର୍ଟ ଆଣିଥିଲେ ବୋଲି ପ୍ରଶ୍ନ ଉଠୁଛି । ହାଇଡ୍ରାମା କରି ନରସିଂହପୁର ଅଞ୍ଚଳରୁ କାରକୁ ଆଣି ଜାକେଡ଼ା ଜଙ୍ଗଲରେ ପହଞ୍ଚାଇଥିବା ଅନୀଲକୁ କାହିଁକି କୋହଳ ସୁରକ୍ଷା ମଧ୍ୟରେ କୋର୍ଟ ଅଣା ଯାଇଥିଲା ବୋଲି କିଛି ଆଇନଜୀବୀ ମଧ୍ୟ ପ୍ରଶ୍ନ କରିଛନ୍ତି । ଅନୀଲ ଯଦି କୋର୍ଟ ପରିସରରେ ଅନ୍ୟ କିଛି ଅଘଟଣ ଘଟାଇଥାନ୍ତା, ତେବେ ସେଥିପାଇଁ କିଏ ଦାୟୀ ରହିଥାନ୍ତା? ଅନୀଲ ଯଦି ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥାନ୍ତା, ତେବେ କିଏ ଦାୟୀ ରହିଥାନ୍ତା ବୋଲି ପ୍ରଶ୍ନ ଉଠିଛି । ଏଭଳି ବେପରୁଆ ଭାବେ କୋର୍ଟ ଚାଲାଣ କରାଇଥିବା ନୂଆଗାଁ ଥାନା ଅଧିକାରୀଙ୍କ ବିରୋଦ୍ଧରେ ଏସପି କାର୍ଯ୍ୟାନୁଷ୍ଠାନ ନେବେ କି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । କରୋନା ମହାମାରୀ ସମୟରେ ସବୁଆଡ଼େ ବନ୍ଦ ରହିଥିବା ବେଳେ ଅନୀଲ କେଉଁଠାରେ ଲୁଚିଗଲା ବୋଲି ପ୍ରଶ୍ନ ଉଠୁଛି ।






