ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅଞ୍ଚଳରେ କିଛି ଦିନ ତଳେ ଏକ କାର ଚୋରୀ ହୋଇଥିଲା । ଏହି ଘଟଣାକୁ ପୁଲିସ ଗତକାଲି ପଞ୍ଚରିଡ଼ା ମାନପୁର ଗ୍ରାମର ଅନୀଲ ମୁଦୁଲିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । କୋର୍ଟ ପରିସରରେ ଅଭିଯୁକ୍ତକୁ ଗାଡ଼ିରେ ବସାଇ ପୁଲିସ କର୍ମଚାରୀମାନେ ଜଗି ରହିଥିଲେ । ମାତ୍ର ଅଭିଯୁକ୍ତ ଅନୀଲ ଏକ ହାଇଡ୍ରାମା କରି ସେଠାରୁ ଖସି ଯିବାରେ ସକ୍ଷମ ହୋଇଥିଲା । ସେଠାରେ ଉପସ୍ଥିତି ଲୋକଙ୍କ ସୂଚନା ମୁତାବକ ଅନୀଲ ପ୍ରଥମେ ଗାଡ଼ି ଭିତରେ ବସି ଦେହ ଅସୁସ୍ଥ ହେବାର ଅଭିନୟ କରିଥିଲା । ହେଁକା ଟେକିବା ସହ ମୋତେ ପାଣି ଦିଅ ବୋଲି କହିଥିଲା । ଏହାକୁ ନେଇ ଜୈନିକ ପୁଲିସ କର୍ମଚାରୀ କୋର୍ଟ ଭିତରକୁ ପାଣି ଆଣିବାକୁ ଯାଇଥିବା ବେଳେ ସୁଯୋଗ ଦେଇ ଅଭିଯୁକ୍ତ ଡୋର ଖୋଲିଥିଲା । ଉପସ୍ଥିତ ଅନ୍ୟ ଜଣେ ପୁଲିସ କର୍ମଚାରୀଙ୍କୁ ଧକ୍କା ପକାଇ ସେଠାରୁ ଦୈାଡ଼ି ପଲାଇଥିବା ଜଣାଯାଇଛି । ଗତ ୧୪ ତାରିଖରେ କଟକ ଜିଲ୍ଲା ନରସିଂହପୁରରୁ ଜଣେ ଅଜଣା ବ୍ୟକ୍ତି ଏକ କାର ଭଡ଼ାରେ ଆଣିଥିଲେ । ସୁଇଫ୍ଟ ଡିଜାୟର ଗାଡ଼ିକୁ ସେ ପଣି ବେହେରା ନାମଙ୍କ ଚାଳକଙ୍କ ସହ ନୟାଗଡ଼କୁ ଆସୁଥିଲେ । ନୂଆଗାଁ ବ୍ଲକ କନ୍ଧଖାଲମଡ଼ା ନିକଟରେ ଅନ୍ୟ ଦୁଇ ଜଣ ବ୍ୟକ୍ତି ଯୋଜନା ମୁତାବକ ଗାଡ଼ିକୁ ଲୁଟ କରିଥିଲେ । ଏକ ବ୍ଲେଡ ସାହାର୍ଯ୍ୟରେ ଡ୍ରାଇଭରଙ୍କୁ ଆକ୍ରମଣ କରି ଗାଡ଼ି ଲୁଟ କରାଯାଇଥିବା ନୂଆଗାଁ ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ଏହାକୁ ନେଇ ଏକ ମାମଲା ରୁଜୁ କରିଥିବା ବେଳେ ଗାଡ଼ିକୁ ପରଦିନ ଜାକେଡ଼ା ନିକଟସ୍ଥ କାଜୁ ଜଙ୍ଗଲରୁ କାରକୁ ଉଦ୍ଧାର କରିଥିଲା । ଏହି ଘଟଣାରେ ଆଜି ନୂଆଗାଁ ପୁଲିସ ଅନୀଲକୁ ଗିରଫ କରିଥିଲା । ଥାନାର ୩ ଜଣ ପୁଲିସ କର୍ମଚାରୀ ତାଙ୍କୁ କୋର୍ଟକୁ ଆଣିଥିବା ବେଳେ ଅନୀଲ ଫେରାର ହୋଇଯାଇଥିବା ଜଣାଯାଇଛି । ଫେରାର ଘଟଣାକୁ ୨୪ ଘଣ୍ଟା ବିତିସାରିଥିଲେ ମଧ୍ୟ ନାଁ ଅଭିଯୁକ୍ତ ଧରା ପଡ଼ିଛି, ନାଁ କାର୍ଯ୍ୟାରେ ଅବହେଳା କରିଥିବା ପୁଲିସ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏଭଳି ସମ୍ବଦନଶୀଳ ଘଟଣାରେ ଚୁପ ବସିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।






