ପଦ୍ମପୁର, (ବାଘୁଆବାର୍ତ୍ତା): ନୃସିଂହନାଥ ମନ୍ଦିରର ଦାନ ବାକ୍ସ ଚୋରି । ପାଇକମାଲ ଥାନା ନୃସିଂହନାଥ ପୀଠରେ ବୁଧବାର ବିଳମ୍ବିତ ରାତିରେ ତାଲା ଭାଙ୍ଗି ମନ୍ଦିରର ଦାନବାକ୍ସ ଚୋରି ହୋଇଥିବା ପାଇକମାଲ ଥାନାରେ ଏତଲା ଦିଆଯାଇଛି । ନୃସିଂହନାଥ ପୀଠରେ ମହାପ୍ରଭୁ ମାର୍ଜାର କେଶରୀ ପୂଜା ପାଇଥାନ୍ତି । ମହାପ୍ରଭୁଙ୍କ ଗର୍ଭଗୃହ ସମ୍ମୁଖରେ ତିନିଗୋଟି ଛୋଟ ଛୋଟ ଓ ଗୋଟିଏ ବଡ ଦାନ ବାକ୍ସ ସମୁଦାୟ ଚାରିଗୋଟି ଦାନ ବାକ୍ସ ରହିଛି । ବୁଧବାର ବିଳମ୍ବିତ ରାତିରେ ପ୍ରାୟ ୧ରୁ ୨ଟା ସମୟ ମଧ୍ୟରେ ତିନି ଜଣ ମୁଖା ପିନ୍ଧା ବ୍ୟକ୍ତି ମନ୍ଦିରର ତାଲା ଭାଙ୍ଗି ମନ୍ଦିର ଭିତରେ ପ୍ରବେଶ କରୁଥିବା ସିସିଟିଭିରେ କଏଦ ହୋଇଥିବା ମନ୍ଦିର କାର୍ୟ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି । ମନ୍ଦିର ଦାନ ବାକ୍ସରେ ଗୋଟିଏ ମାସର ଦାନ ଅର୍ଥ ରହିଥିବା ମନ୍ଦିର ପକ୍ଷରୁ ସୂଚନା ରହିଛି । ଏ ସଂକ୍ରାନ୍ତରେ ପାଇକମାଲ ଥାନା କେଶ ନମ୍ବର ୧୯୪/୨୩ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ।





