ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଜେଲ୍ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ। ଆଜି ତାଙ୍କ ଜାମିନ ଖାରଜ ହେବା ପରେ ବିଧାୟକଙ୍କୁ ଜେଲ୍ ଯିବାକୁ ପଡ଼ିଛି । ବିଜେପି ବାଲୁଗାଁ ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ଆକ୍ରମଣ ଘଟଣାରେ ଖୋର୍ଦ୍ଧା ଏଡିଜେ-୧ କୋର୍ଟରେ ଜାମିନ ଆବେଦନ କରିଥିଲେ ବିଧାୟକ । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏଡିଜେ କୋର୍ଟରେ ହାଜର ହୋଇଥିଲେ ପ୍ରଶାନ୍ତ। ଆଗୁଆ ଜାମିନ ନଦେଇ ତଳ କୋର୍ଟ ଯିବାକୁ ପ୍ରଶାନ୍ତଙ୍କୁ କହିଥିଲେ ହାଇକୋର୍ଟ। ପରେ ପ୍ରଶାନ୍ତ ଖୋର୍ଦ୍ଧା ଏଡିଜେ-୧ କୋର୍ଟରେ ଜାମିନ ଆବେଦନ କରିଥିଲେ। ହେଲେ କୋର୍ଟ ତାଙ୍କ ଜାମିନକୁ ଖାରଜ୍ କରିଦେଇଛନ୍ତି। ସୂଚନା ଥାଉକି, ଗତ ସେପ୍ଟେମ୍ବର ୮ରେ ବିଜେପି ବାଲୁଗାଁ ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ସର୍ବସାଧାରଣ ସ୍ଥାନରେ ଦାଦାଗିରି ଦେଖାଇ ପିଟିଥିଲେ ଚିଲିକା ବିଧାୟକ। ଏହାପରେ ବିଧାୟକଙ୍କ ଦାଦାଗିରିଙ୍କୁ ନେଇ ଚାରିଆଡ଼ୁ ସମାଲୋଚନା କରାଯାଇଥିଲା। ବିଜେଡି ସରକାର ମଧ୍ୟ ଅକଳରେ ପଡ଼ିଥିଲେ। ଆଉ ଆଜି ଏହି ଦାଦାଗିରି ପାଇଁ ବିଧାୟକଙ୍କୁ ଜେଲ୍ ଯିବାକୁ ପଡ଼ିଛି।






