ଟୋକିଓ, (ବାଘୁଆବାର୍ତ୍ତା): ଟୋକିଓ ପାରା ଅଲିମ୍ପିକ୍ସରେ ଭାରତର ଆଥଲେଟ୍ ନିଶାଦ କୁମାର ଦେଶକୁ ପୁରୁଷ ହାଇ ଜମ୍ପରେ ଦ୍ଵିତୀୟ ପଦକ ଦେଇଛନ୍ତି। ନିଶାଦ ୨.୦୬ ମିଟର ଉଚ୍ଚ ଡିଆଁ ମାରି ରୌପ୍ୟ ପଦକ ନିଜ ନାମରେ କରିଛନ୍ତି। ନିଶାଦ ଏହି ସଫଳତା ହାସଲ କରିବା ସହ ଏସୀୟ ଖେଳାଳି ଭାବେ ନୂତନ ରେକର୍ଡ କାଏମ ରଖିଛନ୍ତି। ଏହା ପୂର୍ବରୁ ସକାଳେ ଟେବୁଲ୍ ଟେନିସ୍ରେ ଭାବିନା ପଟେଲ୍ ପାରା ଅଲିମ୍ପିକ୍ସ ୨୦୨୦ରେ ଭାରତକୁ ପ୍ରଥମ ପଦକ ଦେବା ସହ ରୌପ୍ୟ ପଦକ ଜିତିଥିଲେ। ନିଶାଦ ଆରମ୍ଭରୁ ଦମଦାର ଫର୍ମରେ ନଜର ଆସିଥିଲେ ଏବଂ ସେ ପ୍ରଥମ ପ୍ରଚେଷ୍ଟାରେ ହିଁ ୨.୦୨ ମିଟର ଡେଇଁଥିଲେ। ଏହା ପରେ ଭାରତର ଏହି ପାରା ଆଥଲେଟ୍ ୨.୦୬ ମିଟରର ଜମ୍ପକୁ ଦ୍ଵିତୀୟ ପ୍ରଚେଷ୍ଟାରେ ଅତିକ୍ରମ କରି ନୂତନ ଏସୀୟ ରେକର୍ଡ ସ୍ଥାପନ କରିଥିଲେ। ହେଲେ ୨.୦୯ ମିଟରର ଜମ୍ପକୁ ସେ ତିନୋଟି ପ୍ରୟାସରେ ହିଁ ପାର କରିବାରେ ସଫଳ ହୋଇଥିଲେ। ଏହି କାରଣରୁ ତାଙ୍କର ସ୍ଵର୍ଣ୍ଣ ପଦକ ଜିତିବା ଆଶା ଅଧୁରା ରହିଗଲା। ନିଶାଦ ସେହି ଖେଳାଳିଙ୍କ ମଧ୍ୟରୁ ଜଣେ ଥିଲେ, ଯାହାଙ୍କଠୁ ଦେଶ ପାରା ଅଲିମ୍ପିକ୍ସରେ ପଦକ ଆଶା ରଖିଥିଲା। ପାରା ଅଲିମ୍ପିକ୍ସ ୨୦୨୦ରେ ଭାରତ ଏ ପର୍ୟ୍ୟନ୍ତ ଦୁଇଟି ପଦକ ଜିତି ସାରିଛି। ରୌପ୍ୟ ପଦକ ଜିତିବା ପରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଆଥଲେଟ୍ ନିଶାଦଙ୍କୁ ଟ୍ଵିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଟୋକିଓରୁ ଆହୁରି ଖୁସି କରିବା ଭଳି ଖବର ଆସିଛି। ମୁଁ ବହୁତ ଖୁସି ଯେ, ନିଶାଦ ପୁରୁଷ ହାଇ ଜମ୍ପରେ ରୌପ୍ୟ ପଦକ ନିଜ ନାମରେ କରିଛନ୍ତି। ସେ ଜଣେ ଚମତ୍କାର ଆଥଲେଟ୍। ତାଙ୍କ ପାଖରେ ଦକ୍ଷତା ଓ ଦୃଢ ଇଚ୍ଛା ଶକ୍ତି ରହିଛି। ତାଙ୍କୁ ବହୁତ ଧନ୍ୟବାଦ। ଜାତୀୟ କ୍ରୀଡା ଦିବସ ଅବସରରେ ଦେଶକୁ ଗୋଟିଏ ଦିନରେ ଦୁଇଟି ପଦକ ଜିତାଇ ଭାରତର ପାରା ଆଥଲେଟ୍ସ ଦେଶବାସୀଙ୍କୁ ଗର୍ବିତ କରିଛନ୍ତି।






