ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ଶ୍ରମ ବିଭାଗର ବେଫିକର ମନୋଭାବ କାରଣରୁ ୨୦୧୭ ମସିହାରୁ ନିର୍ମାଣ ଶ୍ରମିକମାନଙ୍କ ବିଭିନ୍ନ ସହାୟତା ରାଶି ବଣ୍ଟନ ହୋଇନଥିବା, କ୍ୟାମ୍ପ ଦ୍ୱାରା ଗ୍ରହଣ କରାଯାଇଥିବା ଆବେଦନକୁ ବିଚାର କରି ଶ୍ରମିକ ପରିଚୟ ପତ୍ର ପ୍ରଦାନ କରାଯାଉନଥିବା, ଯୋଗ୍ୟ ନିର୍ମାଣ ଶ୍ରମିକଙ୍କୁ ଆବାସ ଯୋଜନା ଅନ୍ତର୍ଭୁକ୍ତ କରାଯାଉନଥିବା ଏବଂ କୋଭିଡ୍ ସହାୟରା ରାଶି ୧୫ ଶହ ଟଙ୍କା ଅନେକ ନିର୍ମାଣ ଶ୍ରମିକ ପାଇନଥିବା ଦାବି ନେଇ ବିଜୁ ଶ୍ରମିକ ସାମ୍ମୁଖ୍ୟ ଆନ୍ଦୋଳନ ଡାକରା ଦେଇଥିଲା । ଆସନ୍ତା ୧୨ ତାରିଖରୁ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଥିଲା । ଏହାକୁ ନେଇ ଆଜି ଜିଲ୍ଲା ଶ୍ରମ ଅଧିକାରୀ ସଚ୍ଚିଦାନନ୍ଦ ଜେନା ଏବଂ ଡିଏଲ୍ସି କେ. ବେଣୁ ଗୋପାଲ୍ ରାଓ ଆଜି ଶ୍ରମିକ ସାମ୍ମୁଖ୍ୟକୁ ଆଲୋଚନାକୁ ଡାକିଥିଲେ । ଏହି ଆଲୋଚନାରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ଜିଲ୍ଲା ସଭାପତି ସମେତ ଏକ ପ୍ରତିନିଧି ଦଳ ଆଲୋଚନାରେ ଅଂଶ ଗ୍ରହଣ କରିଥିବା ବେଳେ ବକେୟା ଥିବା ନିର୍ମାଣ ଶ୍ରମିକ ପରିଚୟ ପତ୍ର ପ୍ରଦାନ ପାଇଁ ବ୍ୟବସ୍ଥା କରିବାକୁ ଶ୍ରମ ଅଧିକାରୀ ପଦକ୍ଷେପ ନେବେ ବୋଲି କହିଥିଲେ । ଏହା ଫେବୃୟାରୀ ମାସ ସୁଦ୍ଧା ଶେଷ ହେବ ବୋଲି ଜଣାଯାଇଛି । ସେହିଭଳି ଭାବେ ସହୟତା ରାଶି, ନିର୍ମାଣ ଶ୍ରମିକ ପକ୍କାଘର ବଣ୍ଟନ ପ୍ରଭୃତିକୁ ଗୁରୁତ୍ୱ ଦେବାକୁ ଆଲୋଚନା ହୋଇଛି ।





