ଓଡ଼ଗାଁ, (ବାଘୁଆବାର୍ତ୍ତା) : ନିର୍ମାଣ ଶ୍ରମିକଙ୍କୁ ଗୃହ ଯୋଗାଇ ଦେବା ନେଇ ଆଜି ଓଡ଼ଗାଁ ବ୍ଲକ ଅନ୍ତର୍ଗତ କଜଳାଇପଲ୍ଲୀ ଗ୍ରାମ ପଞ୍ଚାୟତ ଘେରାଉ କରିଛନ୍ତି ଗ୍ରାମବାସୀ । ଓଡ଼ଗାଁ ବ୍ଲକ ଅନ୍ତର୍ଗତ କଜଳାଇପଲ୍ଲୀ ପଞ୍ଚାୟତରେ ଶତାଧିକ ଯୋଗ୍ୟ ନିର୍ମାଣ ଶ୍ରମିକ ଥିବା ସ୍ଥଳେ ସେମାନଙ୍କୁ ଜାଣିଶୁଣି ନିର୍ମାଣ ଶ୍ରମିକ ଗୃହ ଯୋଜନାରେ ସାମିଲ କରା ଯାଉନାହିଁ । ବିଶେଷ କରି ୨୦୧୯ ମସିହାଠାରୁ ନୟାଗଡ଼ ଜିଲ୍ଲାପାଳ ଯୋଗ୍ୟ ନିର୍ମାଣ ଶ୍ରମିକମାନଙ୍କୁ ଗୃହ ଯୋଗାଇ ଦେବା ନିମନ୍ତେ ଓଡ଼ଗାଁ ବ୍ଲକକୁ ଚିଠି କରିଥିଲେ ସୁଦ୍ଧା କୌଣସି ବି ସୁଫଳ ମିଳି ପାରିନାହିଁ । ନିର୍ମାଣ ଶ୍ରମିକ ମାନଙ୍କର ବିଭିନ୍ନ ପ୍ରକାର ସମସ୍ୟା ଥିବା ସ୍ଥଳେ କାର୍ୟ୍ୟରତ ଅଫିସର ବିଭିନ୍ନ ଦୁର୍ନୀତିର ଲିପ୍ତ ରହି ଅଯୋଗ୍ୟ ବ୍ୟକ୍ତିଙ୍କୁ ଘର ଯୋଗାଉଥିବାରୁ ଆଜି କଜଳାଇପଲ୍ଲୀ ପଞ୍ଚାୟତର ଶତାଧିକ ଲୋକେ ଗ୍ରାମପଞ୍ଚାୟତ ଘେରାଉ କରିଥିଲେ । ବ୍ଲକ ପ୍ରଶାସନ ଏହାର ସ୍ଥାୟୀ ସମାଧାନ ନ କରିବା ଯାଏଁ ଏ ଆନ୍ଦୋଳନ ବଳବତ୍ତର ରହିବ ବୋଲି ଗ୍ରାମବାସୀ ଧମକ ଦେଇଛନ୍ତି । ପୂର୍ବରୁ ମଧ୍ୟ ଉକ୍ତ ପଞ୍ଚାୟତର ଜିଆରଏସଙ୍କ ନାମରେ ନିରୀହ ରାସନ କାର୍ଡ ଧାରୀଙ୍କୁ ମାଡ଼ ମାରିବା ଏବଂ ଅଶୋଧିତ ତୈଳ ଅଧିକା ଦାମରେ ବିକିବା ଭଳି ସଙ୍ଗିନ ଅଭିଯୋଗ ହୋଇଅଛି ।






