ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଚଳିତ ବର୍ଷ ଚାଲିଥିବା ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆର ଟେନସନ୍ ବଢିବାରେ ଲାଗିଛି । ମ୍ୟାଚ୍ ଆରମ୍ଭ ପରାଜୟ ହୋଇଥିବା ଟିମ୍ ଇଣ୍ଡିଆକୁ ଗୋଟିଏ ପରେ ଗୋଟିଏ ଧକ୍କା ଲାଗୁଛି । ଟି-୨୦ ବିଶ୍ୱକପର ସେମିଫାନାଲରେ ପ୍ରବେଶ କରିବାକୁ ସୁଯୋଗ ଆସୁଥିବା ବେଳେ ଆଜି ନ୍ୟୁଜିଲ୍ୟାଣ୍ଡ ସହଜରେ ବିଜୟୀ ହେଲା ପରେ ଟିମ୍ ଇଣ୍ଡିଆର ଟେନସନ୍ ବଢାଇଛି । ନ୍ୟୁଜିଲ୍ୟାଣ୍ଡ। ଶୁକ୍ରବାର ଖେଳାଯାଇଥିବା ଗ୍ରୁପ୍-୨ର ଏକ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ୫୨ ରନରେ ନାମିବିଆକୁ ପରାସ୍ତ କରିଛି। ଏହି ବିଜୟ ସହ ନ୍ୟୁଜିଲ୍ୟାଣ୍ଡ ତା’ର ନେଟ୍ ରନରେଟକୁ ଆହୁରି ମଜଭୁତ୍ କରିବା ସହ ପଏଣ୍ଟ ଟେବୁଲର ଦ୍ୱିତୀୟକୁ ଉଠିଛି। ଅନ୍ୟପକ୍ଷରେ ନାମିବିଆର ପରାଜୟ ଭାରତର ଚିନ୍ତାକୁ ବଢ଼ାଇ ଦେଇଛି। ଭାରତକୁ ଏବେ ସେମିଫାଇନାଲ୍ ଦୌଡ଼ରେ ରହିବାକୁ ହେଲେ ବାକି ଦୁଇଟି ଯାକ ମ୍ୟାଚରେ ବଡ଼ ବ୍ୟବଧାନରେ ବିଜୟୀ ହେବାକୁ ପଡ଼ିବ। ଆଜି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ୱିକେଟ୍ ହରାଇ ୧୬୩ ରନ୍ କରିଥିଲା। ଜବାବରେ ଭଲ ଆରମ୍ଭ ସତ୍ତ୍ୱେ ନାବିମିଆ ୨୦ ଓଭରରେ ୭ ୱିକେଟ୍ ହରାଇ ୧୧୧ ରନ୍ କରିବାକୁ ସକ୍ଷମ ହୋଇଥିଲା। ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ଜେମ୍ସ ନିଶାମ୍ (୩୫ ରନ୍ ଓ ୧ ୱିକେଟ୍)ଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି। ୧୬୪ ରନର ଲକ୍ଷ୍ୟର ପିଛା କରୁଥିବା ନାମିବିଆ ଏକ ସମୟରେ ୭.୧ ଓଭରରେ ବିନା ୱିକେଟ୍ ହରାଇ ୪୭ ରନ୍ କରି ଭଲ ସ୍ଥିତିରେ ଥିଲା। ତେବେ ଏହି ଠାରୁ ଓପନିଂ ଯୋଡ଼ି ଭାଙ୍ଗିବା ପରେ ଦଳର ୱିକେଟ୍ ପତନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଟିମ୍ ଶେଷ ୧୨.୪ ଓଭରରେ ୭ ୱିକେଟ୍ ହରାଇ ୬୪ ରନ୍ କରିଥିଲା। ଦଳ ପକ୍ଷରୁ ମାଇକେଲ୍ ଭାନ୍ ଲିଙ୍ଗେନ୍ ୨୫, ଜେନ୍ ଗ୍ରୀନ୍ ୨୩, ଷ୍ଟିଫେନ୍ ବାର୍ଡ ୨୧, ଡେଭିଡ୍ ୱିସ୍ ୧୬ ରନ୍ କରିଥିଲେ। କିୱି ଟିମ୍ ପକ୍ଷରୁ ଟିମ୍ ସାଉଦୀ ଓ ଟ୍ରେଣ୍ଟ ବୋଲ୍ଟ ୨ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ମିଚେଲ୍ ସାଣ୍ଟନର୍, ଜେମ୍ସ ନିଶାମ୍ ଓ ଇଶ୍ ସୋଢୀ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ। ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲ୍ୟାଣ୍ଡ୍ ୧୬ ଓଭର ସୁଦ୍ଧା ୪ ୱିକେଟ୍ ହରାଇ ୯୬ ରନ୍ କରିଥିଲା। ଦୁଇ ଓପ୍ନର ମାର୍ଟିନ୍ ଗପ୍ଟିଲ୍ (୧୮), ଡାରିଏଲ୍ ମିଚେଲ୍ (୧୯)ଙ୍କ ବ୍ୟତୀତ କ୍ୟାପଟେନ୍ କେନ୍ ୱିଲିୟମସନ୍ (୨୮) ଓ ଡେଭନ୍ କନୱେ (୧୭) ନିରାଶ କରିଥିଲେ। ତେବେ ଗ୍ଲେନ୍ ଫିଲିପ୍ସ ଓ ଜେମ୍ସ ନିଶାମ ଶେଷ ୪ ଓଭରରେ ୬୭ ରନ୍ ଯୋଡ଼ି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଫିଲିପ୍ସ ୨୧ ବଲରେ ୧ ଚୌକା ଓ ୩ ଛକା ସହ ୩୯ ଓ ନିଶାମ୍ ୨୩ ବଲରେ ୧ ଚୌକା ଓ ୨ ଛକା ସହ ୩୫ ରନ୍ କରିଥିଲେ।






