ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): କରୋନା ମହାମାରୀ ମଧ୍ୟରେ ବ୍ଲାକ ଫଙ୍ଗସ ପରେ ଏବେ ଆଉ ଏକ ନୂଆ ସଙ୍କଟ ସୃଷ୍ଟି ହୋଇଛି। କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ମଧ୍ୟରେ ଏବେସ୍କୁଲର ନେକ୍ରୋସିସ ଅର୍ଥାତ ବନ ଡେଥର ନୂଆ ମାମଲା ସାମ୍ନାକୁ ଆସିଛି। ଏହି ରୋଗରେ ଲୋକଙ୍କ ଶରୀରର ହାଡ ତରଳି ଯାଇଥାଏ। ଦେଶରେ ଆର୍ଥିକ ରାଜଧାନୀ ମୁମ୍ବାଇରେ ଏବେସ୍କୁଲର ନେକ୍ରୋସିସର ୩ଟି ମାମଲା ସାମ୍ନାକୁ ଆସିଛି। ଏହି ନୂଆ ରୋଗ ଡାକ୍ତରଙ୍କ ଚିନ୍ତା ବଢ଼ାଇ ଦେଇଛି। ବିଶେଷଜ୍ଞ କହିଛନ୍ତି, ଆଗାମୀ ଦିନରେ ଏହି ଘାତକ ରୋଗର ମାମଲା ଆହୁରି ବୃଦ୍ଧି ପାଇପାରେ। ମୁମ୍ବାଇ ହିନ୍ଦୁଜା ହସ୍ପିଟାଲରେ ଏହି ୩ ରୋଗୀ ଭର୍ତ୍ତି ଅଛନ୍ତି। ୩ ଜଣଙ୍କ ବୟସ ୪୦ ବର୍ଷରୁ କମ୍। କରୋନାରୁ ସୁସ୍ଥ ହେବାର ୨ ମାସ ପରେ ଏମାନଙ୍କ ମଧ୍ୟରେ ଏବେସ୍କୁଲର ନେକ୍ରୋସିସ ଅର୍ଥାତ ବନ ଡେଥ ଲକ୍ଷଣ ବିକଶିତ ହୋଇଥିଲା। ଉଭୟ ଏବେସ୍କୁଲର ନେକ୍ରୋସିସ୍ ଓ ବ୍ଲାକ୍ ଫଙ୍ଗସ୍ ଷ୍ଟେରଏଡ୍ ବ୍ୟବହାର ସହ ଜଡିତ। କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଷ୍ଟେରଏଡ୍ ବ୍ୟବହାର କରାଯାଇଥାଏ। ହିନ୍ଦୁଜା ହସ୍ପିଟାଲର ଚିକିତ୍ସା ନିର୍ଦେଶକ ଡାକ୍ତର ସଞ୍ଜୟ ଅଗ୍ରୱାଲ କହିଛନ୍ତି ଯେ ଏହି ରୋଗୀଙ୍କୁ ଜଙ୍ଘର ହାଡରେ ଯନ୍ତ୍ରଣା ହୋଇଥିଲା। ଏହି ୩ ରୋଗୀ ନିଜେ ଡାକ୍ତର। ସେଥିପାଇଁ ସହଜରେ ଲକ୍ଷଣ ଚିହ୍ନିପାରିଥିଲେ ଓ ଚିକିତ୍ସା ପାଇଁ ହସ୍ପିଟାଲରେ ପହଞ୍ଚିଥିଲେ। ଡାକ୍ତର ସଞ୍ଜୟ ଅଗ୍ରୱାଲ କହିଛନ୍ତି, ୩୬ ବର୍ଷର ଜଣେ ରୋଗୀ କରୋନାରୁ ସୁସ୍ଥ ହେବାର ୬୭ ଦିନ ପରେ ଏବେସ୍କୁଲର୍ ନେକ୍ରୋସିସ୍ ଆକ୍ରାନ୍ତ ହୋଇଥିଲେ। ଅନ୍ୟ ଦୁଇ ଜଣଙ୍କ ମଧ୍ୟରେ ୫୭ ଓ ୫୫ ଦିନ ପରେ ଲକ୍ଷଣ ପରିଲକ୍ଷିତ ହୋଇଥିଲା। ସମସ୍ତ ଆକ୍ରନ୍ତଙ୍କୁ କରୋନା ସଂକ୍ରମଣ ସମୟରେ ଷ୍ଟେରଏଡ ଦିଆଯାଇଥିଲା। ଏବେସ୍କୁଲର ନେକ୍ରୋସିସ ଉପରେ ଡ.ସଞ୍ଜୟ ଅଗ୍ରୱାଲଙ୍କ ରିସର୍ଚ୍ଚ ପେପର ‘ଏବେସ୍କୁଲର ନେକ୍ରୋସିସ ଏ ପାର୍ଟ ଅଫ ଲଙ୍ଗ୍ସ କୋଭିଡ-୧୯’ ପ୍ରତିଷ୍ଠିତ ମେଡିକାଲ ଜର୍ଣ୍ଣାଲ ବିଏମଜେ କେସ ଷ୍ଟଡ଼ିଜରେ ପ୍ରକାଶିତ ହୋଇଥିଲା। ସେଥିରେ ସେ କହିଛନ୍ତି ଯେ କୋଭିଡ ମାମଲାରେ ଜୀବନ ରକ୍ଷକ କାର୍ଟିକୋଷ୍ଟେରଏଡର ବହୁଳ ବ୍ୟବହାର କାରଣରୁ ଏବିଏନ ମାମଲା ବୃଦ୍ଧି ପାଇବ। ଇତି ମଧ୍ୟରେ କୋଏମ୍ବାଟୁରର ସରକାରୀ ହସ୍ପିଟାଲରେ ମ୍ୟୁକୋର୍ମିକୋସିସର ୨୬୪ ରୋଗୀଙ୍କ ମଧ୍ୟରୁ ୩୦ ଜଣଙ୍କ ଗୋଟିଏ ଆଖିର ଦୃଷ୍ଟିଶକ୍ତି ଚାଲି ଯାଇଛି।





