ଭୁବନେଶ୍ୱର, (ବାଘୁଆବାର୍ତ୍ତା): ନୂଆପଲ୍ଲୀସ୍ଥିତ ଏକ ଆପାର୍ଟମେଣ୍ଟ୍ର ଫ୍ଲାଟ୍ରୁ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଡେପୁଟି ଜେନେରାଲ ମ୍ୟାନେଜର(ଡିଜିଏମ୍)ଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି । ନୟାପଲ୍ଲୀ ଥାନା ପୋଲିସ ଶୁକ୍ରବାର ଅପରାହ୍ଣରେ ଫ୍ଲାଟ୍ର କବାଟ ଭାଙ୍ଗି ଡିଜିଏମ୍ ସୁନୀଲ କୁମାର ଖଟେଇଙ୍କ ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ମୃତଦେହ ବ୍ୟବଚ୍ଛେଦ କରାଇ ପୋଲିସ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ତେବେ କେଉଁ କାରଣ ପାଇଁ ଡିଜିଏମ୍ ଶ୍ରୀ ଖଟେଇ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି । ସୂଚନା ଥାଉକି, ଶ୍ରୀ ଖଟେଇଙ୍କ ନିଜଘର ଗଞ୍ଜାମ ପଡ଼ିଆଝୁଲି । ସେ ନୟାପଲ୍ଲୀ ଜଗନ୍ନାଥ ଶକୁନ୍ତଳା ଆପାର୍ଟମେଣ୍ଟ୍ ଫ୍ଲାଟ୍ ନଂ-୨୦୨ରେ ରହୁଥିଲେ । ତାଙ୍କ ପତ୍ନୀ ଜଣେ ବିଚାରପତି । ୨ ଝିଅ(୩ ବର୍ଷ ଓ ୭ ବର୍ଷ) ମା’ଙ୍କ ପାଖରେ ରହୁଥିବା ବେଳେ ଶ୍ରୀ ଖଟେଇ ଏଠାରେ ଏକାକୀ ରହୁଥିଲେ । ଶୁକ୍ରବାର ସକାଳୁ ସେ ଘରୁ ବାହାରି ନଥିଲେ । ପରିବାର ଲୋକେ ବାରମ୍ବାର ଫୋନ୍ କରିଥିଲେ ମଧ୍ୟ ସେ ଉଠାଇ ନଥିଲେ । ତେଣୁ ତାଙ୍କ ଭାଇ ସପନ ଖଟେଇ ଅପରାହ୍ଣରେ ଆସି କବାଟ ବାଡ଼େଇଥିଲେ । କବାଟ ନ ଖୋଲିବାରୁ ସେ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି କବାଟ ଭାଙ୍ଗି ଦେଖିବା ବେଳକୁ ଶ୍ରୀ ଖଟେଇଙ୍କ ମୃତଦେହ ଏକ ବେଡ୍ସିଟ୍ ବେକରେ ଗୁଡ଼ାହୋଇ ଫ୍ୟାନ୍ରେ ଝୁଲୁଥିଲା । ପୋଲିସ ମୃତଦେହ ଜବତ କରିଥିଲା । ପୋଲିସ ତଦନ୍ତରୁ ଜଣାପଡ଼ିଛି ଶ୍ରୀ ଖଟେଇ ମେଳାପୀ ସ୍ୱଭାବର ଥିଲେ । ପରିବାରରେ ତାଙ୍କର କାହା ସହ ଝଗଡ଼ା ବି ନଥିଲା । ବ୍ୟାଙ୍କରେ ମଧ୍ୟ ସବୁ ଠିକ୍ଠାକ ଥିଲା ବୋଲି କର୍ମଚାରୀଙ୍କ ଠାରୁ ଜଣାପଡ଼ିଛି । ତେବେ କେଉଁ କାରଣ ପାଇଁ ଶ୍ରୀ ଖଟେଇ ଆତ୍ମହତ୍ୟା କଲେ, ତାହା ଜଣା ପଡ଼ିନାହିଁ । ପୁଲିସ ଫ୍ଲାଟ୍ର ଉକ୍ତ ରୁମ୍କୁ ସିଲ୍ କରି ଦେଇଛି । ସାଇଣ୍ଟିଫିକ୍ ଟିମ୍ ସହ ତଦନ୍ତ କରାଯିବ ବୋଲି ପୋଲିସ କହିଛି।





