କିଛି ନିୟମରେ ପରିବର୍ତ୍ତନ, ଅମାନିଆ ହେଲେ ଲକ୍ଷେ ଟଙ୍କା ଜୋରିମାନା
ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ ଆଜି ଜିଲ୍ଲାରେ ଲାଗୁ କରାଯାଇଥିବା କଟକଣାକୁ କୋହଳ କରିବା ସହ କିଛି ନିୟମରେ ପରିବର୍ତ୍ତନ କରିଛନ୍ତି । ଜିଲ୍ଲାରେ ଦୋକାନା ବଜାର ଖୋଲିବା ନେଇ ଲଗା ଯାଇଥିବା କଟକଣାକୁ ସମ୍ପୂଣ୍ଣ ମୁକ୍ତ କରାଯାଇଥିବା ବେଳେ ବ୍ୟବସାୟୀମାନେ ସମାଜିକ ଦୂରତା ଅବଲମ୍ବନ କରିବା ମାସ୍କ ପିନ୍ଧିବା ଏବଂ ବିଶୋଧନ ପାଇଁ ପାଣି ଓ ସାବୁନ ବ୍ୟବସାୟ ପ୍ରତିଷ୍ଠାନରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ମାସ ଶେଷ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ଜିଲ୍ଲାପାଳ ତାଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରିଥିବା ବେଳେ ସିନେମା ହଲ, ସୁଇମିଂପୁଲ୍ ଏବଂ ପାର୍କ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ନିୟମ ଭାଙ୍ଗି ଅମାନିଆ ହେଲେ ଏକ ହଜାରରୁ ଏକ ଲକ୍ଷ ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ମାସ୍କ, ସାମାଜିକ ଦୂରତା, ବିବାହ ଏବଂ ବାର ଗୁଡ଼ିକ ପାଇଁ ଏହି ଜୋରିମାନା ନିୟମ ଲାଗୁ କରିଛନ୍ତି । ଏଥିସହିତ ଜିଲ୍ଲାରେ ଏ ସବୁ ପ୍ରତି ଦୃଷ୍ଟି ଦେବାକୁ ସ୍ୱତନ୍ତ୍ର ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ନିୟମ ଭଙ୍ଗ କଲେ ଗିରଫ ହେବାର ସମ୍ଭାବନା ଥିବା ଜଣାଯାଇଛି । ଜିଲ୍ଲାପାଳ ଏହି ନିୟମକୁ ସେପ୍ଟମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଲାଗୁ କରିଥିବା ଜଣାଯାଇଛି । ଏଥିସହିତ ଜିଲ୍ଲାରେ ଚଳିତ ମାସରେ ସପ୍ତାହନ ସଟ୍ଡାଉନ୍ ଲାଗୁ କରାଯାଇନଥିବା ଜଣାଯାଇଛି ।






