ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କିଛି ଦିନ ଧରି ଏପିଏମ ଆପ ଆତଙ୍କ ଘାତକ ସୃଷ୍ଟି କରିଥିଲା । ଏହି ଆପ ଜରିଆରେ ଅନେକ ଲୋକ ଶିକାର ହୋଇଥିଲେ । ଖଟିକିଆ ଦିନ ମଜୁରୀଆଙ୍କ ଠାରୁ ଆରମ୍ଭ କରି ସରକାରୀ ବାବୁ ଓ ରାଜନେତା ଅନେକ ଠକେଇର ଶିକାର ହୋଇଥିଲେ । କିଛି ବ୍ୟକ୍ତି ଲଜ୍ୟାକୁ ଡରିବା ସହ କଳାଧନର ଗୁମର ଖୋଲିଯିବ ବୋଲି ପୁଲିସ ପାଖକୁ ଆସିବାକୁ ଡରୁଥିଲେ । ନୟାଗଡ଼ରେ ଏହି ଫ୍ରଡ୍ ଆପ ଦ୍ୱାରା ହଜାର ହଜାର ଲୋକ ଶିକାର ହୋଇଥିଲେ । ଜିଲ୍ଲାରେ ୫ କୋଟିରୁ ଅଧିକ ଟଙ୍କା ଲୁଟ ହୋଇଥିବା ଜଣା ପଡିଛି । ପୁଲିସ ପ୍ରଶାସନ ଠାରୁ ଆରମ୍ଭ କରି ଶିକ୍ଷା ଭଳି ବିଭାଗର ଅନେକ କର୍ମଚାରୀ ଏଥିରେ ଭରସା କରି ଟଙ୍କା ଜମା କରିଥିଲେ । ନୟାଗଡ଼ ଜିଲ୍ଲାରେ ପ୍ରଥମେ ଏହି ଆପକୁ ଆଣିଥିବା ଦୁଇ ଭାଇଙ୍କୁ ଟାଉନ ଥାନା ପକ୍ଷରୁ ଗିରଫ କରାଯାଇଛି । ନୟାଗଡ଼ ସହର ଗାୟତ୍ରୀ କଲୋନୀର ବଡ଼ ଭାଇ ଅରୁଣ କୁମାର ଦାସ ଓ ତାଙ୍କ ସାନ ଭାଇ ଅମୁଲ୍ୟ କୁମାର ଦାସଙ୍କୁ ଗିରଫ କରାଯାଇଥିବା ନୟାଗଡ଼ ଏସଡିପିଓ ସ୍ନେହାଶିଷ ସାହୁ ପ୍ରକାଶ କରିଛନ୍ତି । ଗତ କିଛି ଦିନ ତଳେ ନୟାଗଡ଼ ଟାଉନ ଥାନାରେ ଅଭିଯୋଗ କରାଯାଇଥିଲା । ନୟାଗଡ଼ ଟାଉନ ଥାନା ପକ୍ଷରୁ ଦୁଇ ଭାଇଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯିବ । ଏହି ଆପରେ ଆଉ କେଉଁ କେଉଁ ମାନେ ସଂଶ୍ଲିଷ୍ଟ ଅଛନ୍ତି ପୁଲିସ ତଦନ୍ତ ଯାରି ରଖିଛି । ଚିଟ୍ ଫଣ୍ଡ ଦୁର୍ନିତୀ ଲୋକଙ୍କ ମନରୁ ନଲିଭିଥିବା ବେଳେ କିଭଳି ଅନେକ ଶିକ୍ଷିତ ଲୋକ ଅର୍ଥ ଲୋଭରେ ଫସୁଛନ୍ତି ଏହାକୁ ନେଇ ବୁଦ୍ଧିଜିବୀ ମାନେ ଚିନ୍ତା ପ୍ରକଟ କରିଛନ୍ତି ।





