ନୟାଗଡ଼, (ବାଘୁଆବାର୍ତ୍ତା) : ଗତ ୧୯ ତାରିଖରେ ସହରର ଜଣେ ସୁନା ବ୍ୟବସାୟୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ତାଙ୍କ ସଂସ୍ପର୍ଶରେ ଆସିଥିବା ଅନେକ ଲୋକ କରୋନା ଚିହ୍ନଟ ହୋଇଛନ୍ତି । ନୟାଗଡ଼ ଖଣ୍ଡପଡ଼ା ରାସ୍ତାରେ ସୁନା ବ୍ୟବସାୟ କରୁଥିବା ଏହି ବ୍ୟବସାୟୀ ଦେବୋର୍ତ୍ତ କଲୋନୀ ୪ନଂ ଗଳିରେ ରହୁଥିଲେ । ସେ ଅନେକ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବାରୁ ୧୯ ତାରିଖରେ ନୟାଗଡ଼ର ୧୫୦ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କଠାରୁ ସ୍ୱାବ ସଂଗ୍ରହ କରାଯାଇଥିଲା । ଆଜି ସେଇ ପରୀକ୍ଷା ରିର୍ପୋଟ ଆସିବା ପରେ ସୁନା ବ୍ୟବସାୟୀଙ୍କ ପରିବାରର ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ନୟାଗଡ଼ ସହରରୁ ଜଣେ ପୁଲିସ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ପୁଲିସ କର୍ମଚାରୀ ଜଣଙ୍କ ସୁନା ବ୍ୟବସାୟୀଙ୍କ ସଂସ୍ପର୍ଶରେ ଆସିଥିବା ଆଲୋଚନା ହେଉଛି । ଅନ୍ୟପକ୍ଷେ, ଏହି ସୁନା ବ୍ୟବସାୟୀ ଏବଂ ତାଙ୍କ ପରିବାର ସଂସ୍ପର୍ଶରେ ସହରର ଅନେକ ଲୋକ ମିଶିଥିବା ଏବଂ ସେମାନଙ୍କ ବ୍ୟବସାୟ ପ୍ରତିଷ୍ଠାନକୁ ଅନେକ ଲୋକ ଆସିଥିବା ଜଣାଯାଇଛି । ଦେବୋର୍ତ୍ତ କଲୋନୀ ଅଂଚଳରେ ମଧ୍ୟ ଉକ୍ତ ପରିବାର ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବାରୁ ଆଗକୁ ଏହା ଗୋଷ୍ଠୀ ସଂକ୍ରମଣର ଆଶଙ୍କା ସୃଷ୍ଟି କରୁଛି । ସହର ଅନେକ ବ୍ୟବସାୟୀ ତାଙ୍କ ସଂସ୍ପର୍ଶରେ ଆସି ଭୟରେ କାଳାତିପାତ କରୁଛନ୍ତି । ଯାହାକୁ ନେଇ ନୟାଗଡ଼ ସହରର ବହୁ ଜନସାଧାରଣ ଏବଂ ବ୍ୟବସାୟୀ ସହରକୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରିବା ନେଇ ଦାବି କରୁଛନ୍ତି । ଏନେଇ ବୁଦ୍ଧିଜୀବୀ ମହଲରେ ମଧ୍ୟ ସମାନ ପ୍ରତିକ୍ରିୟା ପ୍ରକାଶ ପାଇଛି । ଗୋଷ୍ଠୀ ସଂକ୍ରମଣର ଆଶଙ୍କାକୁ ଏଡ଼ାଇବା ପାଇଁ ଜିଲ୍ଲାପାଳ ଏ ଦିଗରେ ଦୃଷ୍ଟି ଦେବେ ବୋଲି ସହରବାସୀ ଆଶା ବାନ୍ଧି ବସିଛନ୍ତି ।






