
ନୟାଗଡ଼,(ବାଘୁଆବାର୍ତ୍ତା): କରୋନା ପାଇଁ ସାରା ଭାରତବର୍ଷ ଲକ୍ଡାଉନ୍ ହୋଇଥିବା ବେଳେ ଅନେକ କଟକଣା କୋହଳ କରାଯାଇଥିବାରୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମିଳିତ ଭାବେ କୃଷକ ଓ ନିର୍ମାଣ ଶ୍ରମିକମାନଙ୍କ ପାଇଁ ନୀତିନିୟମରେ ଅନେକ କୋହଳ ଆଣିଛନ୍ତି । ନିର୍ମାଣଶ୍ରମିକମାନେ ରାଜ୍ୟରୁ ରାଜ୍ୟ ବାହାରକୁ ନ ଯିବା ପାଇଁ ନିର୍ଦ୍ଦେଶ ଥିବାବେଳେ ଜିଲ୍ଲାରୁ ଜିଲ୍ଲା ବାହାରକୁ ଯିବାପାଇଁ ନିର୍ଦ୍ଦେଶ ରହିଛି । ସୂଚନା ମୁତାବକ ନୟାଗଡ଼ ଜିଲ୍ଲା ନୟାଗଡ଼ ବ୍ଲକ୍ ଅନ୍ତର୍ଗତ ଖୁଣ୍ଟୁବନ୍ଧ ପଞ୍ଚାୟତରେ ୩୮ରୁ ଊର୍ଦ୍ଧ୍ୱ ନିର୍ମାଣ ଶ୍ରମିକ ନିକଟସ୍ଥ ବୌଦ୍ଧ ଓ ସୋନ୍ପୁର ଆସି ବିଭନ୍ନ କାର୍ଯ୍ୟରେ ଲିପ୍ତ ରହିଥିଲେ । ଉପୟ ପୁରୁଷ ଓ ମହିଳା ବିଭିନ୍ନ ଶ୍ରମିକ ଭାବରେ ନୟାଗଡ଼ରେ କାର୍ଯ୍ୟକରି ଜୀବନ ଜୀବିକା ବିତାଉଥିଲେ । ଆଜି ନୟାଗଡ଼ ଜିଲ୍ଲା ପ୍ରଶାସନର ନେତୃତ୍ୱରେ ଖୁଣ୍ଟୁବନ୍ଧ ପଞ୍ଚାୟତର ୩୮ଜଣ ପୁରୁଷ ଓ ମହିଳା ଶ୍ରମିକଙ୍କୁ ନିଜ ଜିଲ୍ଲା ବୌଦ୍ଧ ଓ ସୋନପୁରକୁ ଏକ ସ୍ୱତନ୍ତ୍ର ବସ୍ ଯୋଗେ ପଠାଯାଇଛି । ଏଥିରେ ୨ଜଣ ମହିଳା ଗର୍ଭବତୀ ଥିବାରୁ ସେମାନଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ପଠାଯିବାର ବ୍ୟବସ୍ଥା କରାଯାଇଛି । ନୟାଗଡ଼ ଜିଲ୍ଳାପାଳ ଡ. ପୋମା ଟୁଡୁଙ୍କ ନିର୍ଦ୍ଦେଶରେ ନୟାଗଡ଼ ବ୍ଲକ୍ ମଣ୍ଡଳ ଉନ୍ନୟନ ଅଧିକାରୀ ମନୋଜ କୁମାର ପାତ୍ର ଉକ୍ତ ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ସାହୁ ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ସହାୟତାରେ ସେମାନଙ୍କୁ ଲକ୍ଡାଉନ୍ ଆରମ୍ଭରୁ ପ୍ରତ୍ୟେକ ଦିନ ରୋଷେଇ କରି ଖାଦ୍ୟ ବଣ୍ଟନ କରାଯାଉଥିଲା । ଆଜି ମଧ୍ୟ ସେମାନଙ୍କୁ ଖାଦ୍ୟ ଦିଆଯାଇ ଫ୍ରେଣ୍ଡସ୍ ନାମକ ଏକ ସ୍ୱତନ୍ତ୍ର ବସ୍ ଯୋଗେ ସେମାନଙ୍କ ଜିଲ୍ଲାକୁ ପଠାଯାଇଛି ।






