ଭୁବନେଶ୍ୱର, (ବାଘୁଆବାର୍ତ୍ତା ବ୍ୟୁରୋ) : ନୟାଗଡ଼ ଚିନିକଳକୁ ପୁନଃ ଚାଲୁ କରିବା ଦାବିରେ ଗତ ୩୦ ତାରିଖରୁ ନୟାଗଡ଼ ପାଣିପୋଇଲା ଚିନିକଳରୁ ନବୀନ ନିବାସ ଅଭିମୁଖେ ଦୀର୍ଘ ୫ ଦିନ ଧରି ଅନୁଷ୍ଠିତ ହୋଇଥିବା ଏ୍ୟୌତିହାସିକ ପଦଯାତ୍ରା ଆଜି ଲୋୟର ପି.ଏମ୍.ଜିରେ ପଂହଚିଥିଲା । ନୟାଗଡ଼ ଚିନିକଳ କ୍ରିୟାନୁଷ୍ଠାନ କମିଟିର ଶତାଧିକ ସଦସ୍ୟ ସଦସ୍ୟା ଚିନିକଳ କର୍ମଚାରୀ, ଚାଷୀ ଓ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଲୋୟର ପିଏମ୍ଜି ଠାରେ ଏକ ବିଶାଳ ଗଣଧାରଣାରେ ଏକତ୍ରିତ ହୋଇଥିଲେ ।

ନୟାଗଡ଼ ଚିନିକଳକୁ ପୁନଃ ଚାଲୁ କରିବା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଦୀର୍ଘ ୧୦୦ କି.ମି. ପଦଯାତ୍ରାରେ ଆସିଥିବା ଚିନିକଳ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତାମାନେ ଆଜି ନବୀନ ନିବାସ ଅଭିମୁଖେ ପଦଯାତ୍ରା କରୁଥିବା ବେଳେ ପୋଲିସ୍ ସେମାନଙ୍କୁ ଉଠାଇ ନେଇଥିଲେ । ଚିନିକଳ କ୍ରିୟାନୁଷ୍ଠାନ କମିଟିର ଆବାହକ ବିଶ୍ୱନାଥ ମହାପାତ୍ର, ଚିନିକଳ କର୍ମଚାରୀ ସଂଘ ସଭାପତି ଯୋଗେନ୍ଦ୍ର ଖୁଣ୍ଟିଆ, ସାଧାରଣ ସମ୍ପାଦକ ସନ୍ତୋଷ କୁମାର ପ୍ରଧାନ, ମନୋଜ କୁମାର ସାହୁ, ଚିନିକଳ ପଦଯାତ୍ରା କମିଟି ସଂଯୋଜକ ଶିବରାମ ମହାପାତ୍ର ପ୍ରମୁଖଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା

ଏହି ସମାବେଶରେ ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକ, ଜଟଣୀ ବିଧାୟକ ସୁରେଶ୍ ଚନ୍ଦ୍ର ରାଉତରାୟ, ଖଣ୍ଡପଡ଼ାର ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂହ, ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ, କଂଗ୍ରେସ କୃଷକ ସେଲ୍ର ଜାତୀୟ ଉପାଧ୍ୟକ୍ଷ ସୁରେନ୍ଦ୍ର ସୋଲାଙ୍କି, ନବ ନିର୍ମାଣ କୃଷକ ସଂଗଠନର ମନୋହର ଅଲ୍ଲୀ, ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାୟ, ଭାଗ୍ୟଧର ବ୍ରହ୍ମା, ଶୁଭଶ୍ରୀ ପଣ୍ଡା ପ୍ରମୁଖ ଯୋଗ ଦେଇ ଚିନିକଳ କ୍ରିୟାନୁଷ୍ଠାନ କମିଟିର ପଦଯାତ୍ରୀମାନଙ୍କୁ ସହଯୋଗ କରିଥିଲେ । ଦୀର୍ଘଦିନ ଧରି ବକେୟା ରହିଥିବା ନୟାଗଡ଼ ଚିନିକଳର ହଜାର ହଜାର ଚାଷୀ ଓ ଗରିବ କର୍ମଚାରୀଙ୍କ ଟଙ୍କା ନଦେଇ ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ର ଛୁ ମାରିଥିବା ବେଳେ ରାଜନୈତିକ ଚାପରେ ପ୍ରଶାସନ ଜାଣିଶୁଣି ନିରବଦ୍ରଷ୍ଟା ସାଜିଛି ବୋଲି ଚାଷୀମାନେ କହିଥିଲେ । ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସିଥିବା ବେଳେ ପ ନୟାଗଡ଼ ଚିନିକଳକୁ ତୁରନ୍ତ ଚାଲୁ କରିବା ପାଇଁ କୌଣସି ପଦକ୍ଷେପ ନିଆ ନଗଲେ ନୟାଗଡ଼ ବନ୍ଦ ଡାକରା ଦିଆଯିବ ବୋଲି କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତାମାନେ ଚେତାବନି ଦେଇଛନ୍ତି ।





