ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଚିନିଶିଳ୍ପ ଏବେ ନୂଆମୋଡ଼ରେ ପହଂଚିଛି । ପ୍ରଶାସନ ପକ୍ଷରୁ ଆସନ୍ତା ୧୨ ତାରିଖରେ ଚିନିଶିଳ୍ପ ତାଲା ଖୋଲା ଯାଇ ସ୍ଥାବର ଓ ଅସ୍ଥାବର ସଂମ୍ପତ୍ତିର ଆକଳନ କରାଯିବା ନେଇ ଆଜି ଖବର କାଗଜରେ ନୋଟିସ ଦିଆଯାଇଛି । ନୟାଗଡ଼ ଚିନିଶିଳ୍ପ ପୁନଃ କାର୍ଯ୍ୟକ୍ଷମ ନେଇ ପୂର୍ବରୁ କ୍ରିୟାନୁଷ୍ଠାନ କମିଟି ସହ ବସିଥିବା ଦ୍ୱିତୀୟ ବୈଠକ ଅନୁସାରେ ଚିନିଶିଳ୍ପର ସ୍ଥାବର ଓ ଅସ୍ଥାବର ସଂମ୍ପତ୍ତି ଆକଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ନୟାଗଡ଼ ସମବାୟ ଚିନି କମ୍ପେସ୍କ ଲିଃ ଅଧ୍ୟକ୍ଷ ତ୍ରୈଲୋକ୍ୟ ମିଶ୍ର ଏବଂ ବ୍ୟାଙ୍କ ଜିଲ୍ଲା ପ୍ରଶାସନର ନୋଟିସ୍ ଗ୍ରହଣ କରୁନଥିବାରୁ ବିଜ୍ଞାପନ ମାଧ୍ୟମରେ ପ୍ରଶାସନ ସେମାନଙ୍କୁ ନୋଟିସ କରିଥିବା ସୂଚନା ମିଳିଛି । ବ୍ୟାଙ୍କ ଏବଂ ପରିଚାଳନା କମ୍ପାନୀ ଅଧ୍ୟକ୍ଷ ଉକ୍ତ ଦିନ ଉପସ୍ଥିତ ରହିବାକୁ ନୋଟିସ ମାଧ୍ୟମରେ ଜଣାଇ ଦିଆଯାଇଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲାପାଳ ତଥା ଭାରପ୍ରାପ୍ତ ଅଧିକାରୀ ନୟାଗଡ଼ ସମବାୟ ଚିନିିଶିଳ୍ପଙ୍କ ଆଦେଶ ମୂତାବକ ବିଜ୍ଞାପନ ମାଧ୍ୟମରେ ଆସନ୍ତା ୧୨ ତାରିଖ ଦଶ ଘଟିକା ସମୟରେ ଏଜ୍କ୍ୟୁଟିଭ ମାଜିଷ୍ଟେଡଙ୍କ ଉପସ୍ଥିତିରେ ନୟାଗଡ଼ ସମବାୟ ଚିନିଶିଳ୍ପକୁ ଖୋଲଯିବ । ନୟାଗଡ଼ ପୁନଃ କାର୍ଯ୍ୟକ୍ଷମ ନେଇ କୋର୍ଟ କଚେରୀରେ ଅନେକ ମାମଲା ଚାଲିଥିବା ବେଳେ ଏହାକୁ ଗତିଶୀଳ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଉଛି ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି ।






