ସୁନାଖଳାରେ ରେଳରୋକ
ନୟାଗଡ଼, (ବାଘୁଆବାର୍ତ୍ତା): ଭାରତ ବନ୍ଦ ଡାକରାରେ ନୟାଗଡ଼ରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସିଟୁ ପକ୍ଷରୁ ଡକାଯାଇଥିବା ଏହି ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ କରିଛି । ନୟାଗଡ଼ ମୁଖ୍ୟ ଟ୍ରାଫିକ ଛକରେ ସିଟୁ ଏବଂ କଂଗ୍ରେସ ନେତାମାନେ ରାସ୍ତାରୋକ କରିବା ସହ ପିକେଟିଂ କରୁଥିବା ଜଣାପଡ଼ିଛି । କମ୍ୟୁନିଷ୍ଟ ନେତା ବିଶ୍ୱନାଥ ମହାପାତ୍ରଙ୍କ ସହ କଂଗ୍ରେସ ଜିଲ୍ଲା ସଭାପତି ରଣଜିତ ଦାଶ, ମନୋଜ କୁମାର ସାହୁଙ୍କ ସହ ଅନେକ କର୍ମୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ନୟାଗଡ଼ ସହରର ସବୁ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଥିବା ବେଳେ ଗାଡ଼ି ଚଳାଚଳ ବନ୍ଦ ରହିଛି । ନୟାଗଡ଼ରୁ ଭୂବନେଶ୍ୱର ଯାଉଥିବା ସେବା ଏକ୍ସପ୍ରେସକୁ ଆନ୍ଦୋଳନ କାରୀମାନେ ସୁନାଖଳାରେ ଅଟକାଇଥିବା ଜଣାପଡ଼ିଛି ।

ସେହିଭଳି ଏହି ଅବସରରେ ଦଶପଲ୍ଲାରେ ମଧ୍ୟ ଦୋକାନ, ବଜାର ବନ୍ଦ ରହିବା ସହ ବିଭିନ୍ନ ସ୍କୁଲ, କଲେଜ ବନ୍ଦ ରହିଛି । ରାଜ୍ୟ ସରକାର ସ୍କୁଲ, କଲେଜକୁ ଛୁଟି ଘୋଷଣା କରିଥିବା ବେଳେ ସରକାରୀ କାର୍ଯ୍ୟାଳୟକୁ ଆନ୍ଦୋଳନ କାରୀମାନେ ପିକେଟିଂ କରି ବନ୍ଦ କରିବେ ବୋଲି ଜଣାପଡ଼ିଛି । ଦରଦାମ ବୃଦ୍ଧି, ବେକାରି ଓ ସିଏଏ ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ରୀୟ ଶ୍ରମିକ ସଂଗଠନ ସହ ଏଚ୍ଏମ୍ଏସ୍, ଆଇଏନ୍ଟିୟୁସି, ଏଆଇଟିୟୁସି, , ସିଆଇଟିୟୁ, ଏଆଇୟୁଟିୟୁସି, ଏଆଇସିସିଟିୟୁ ଓ ବ୍ୟାଙ୍କ, ବୀମା, ପ୍ରତିରକ୍ଷା, ବିଏସ୍ଏନ୍ଏଲ୍, କୋଇଲା, ଖଣି, ବିଦ୍ୟୁତ୍ କର୍ମଚାରୀଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ସରକାରୀଙ୍କ କେତେକ କର୍ମଚାରୀ ମଧ୍ୟ ଏହି ବନ୍ଦ ଆନ୍ଦୋଳନକୁ ସମର୍ଥନ କରି ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରିଛନ୍ତି ।







