ନୟାଗଡ଼, (ବାଘୁଆବାର୍ତ୍ତା) : କରୋନା ମହାମାରୀ କାୟା ମେଲାଇ ଚାଲିଥିବା ବେଳେ କୋଭିଡ୍ କଟକଣାକୁ ସବୁ ସ୍ଥାନରେ ଉଲଂଘନ କରାଯାଉଛି । ଯାହାକୁ ନେଇ ଆଜି ଉପଜିଲ୍ଲାପାଳ ଲଗ୍ନଜିତ ରାତଙ୍କ ନେତୃତ୍ୱରେ ସ୍ପେଶାଲ ସ୍ୱାର୍ଡ଼ ଏସ୍ଆଇ ଧର୍ମେନ୍ଦ୍ର ଶିଆଳଙ୍କ ସହ ତାଙ୍କ ଟିମ୍ ଖଳିସାହି ବଜାର ଉପରେ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ସମୟରେ ବଜାର ପୂର୍ବରୁ ଥିବା ଏକ ଢାବାରେ ଲୋକଙ୍କୁ ଖାଇବାକୁ ଦିଆଯାଉଥିବା ସ୍ପେଶାଲ୍ ସ୍ୱାର୍ଡ଼ ଦେଖିବାକୁ ପାଇଥିଲେ ଏବଂ ବିଭିନ୍ନ ସ୍ଥାନରେ ଗୁପୁଚୁପ ମଧ୍ୟ ବିକ୍ରି ହେଉଥିବା ଦେଖାଯାଇଥିଲା । ଏହି ସ୍ଥାନରେ ସ୍ପେଶାଲ୍ ସ୍ୱାର୍ଡ଼ ଚଢ଼ାଉ କରିବା ଖବର ପାଇ ଖଳିସାହି ବଜାରରେ ଆଜି ସଟର୍ ପଡ଼ି ଯାଇଥିବା ଜଣାଯାଇଛି । ସ୍ୱାର୍ଡ଼ ଆସୁଥିବା ଭୟରେ ବ୍ୟବସାୟୀମାନେ ଦିନ ଗୋଟାଏ ବେଳୁ ଧଡ଼ାଧଡ଼ ଦୋକାନ ବନ୍ଦ କରି ଦେଇ ଚାଲି ଯାଇଥିବା ବେଳେ କୋଭିଡ୍ ନିୟମ ଉଲଂଘନ କରାଯାଇଥିବା ବିଭିନ୍ନ ସ୍ଥାନରୁ ୪ ହଜାର ଜୋରିମାନା ଆଦାୟ କରାଯାଇଛି ।






