ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ସଦରବ୍ଲକ ଅନ୍ତର୍ଗତ ଇଟାମାଟି ଗ୍ରାମରୁ ଆଜି ସକାଳୁ ଗୋଟିଏ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଥିବା ବେଳେ ତାର ମୃତ୍ୟୁ ଘଟିଛି । ସୂଚନାନୁସାରେ, ଇଟାମାଟି ଗ୍ରାମର ନାରାୟଣ ପାଟଣା ସାହିଠାରେ ଗତକାଲି ରାତିରୁ ଗୋଟିଏ ଶିଶୁ ପୁତ୍ରକୁ କେହି ଫିଙ୍ଗି ଚାଲି ଯାଇଥିବା ବେଳେ ଆଜି ପୂର୍ବାହ୍ନରେ ଏହା ଜଣାପଡ଼ିଥିଲା । ସେହି ବାଟ ଦେଇ ଜିତେନ୍ଦ୍ର ନାୟକ ନାମକ ଜଣେ ବ୍ୟକ୍ତି ଯିବା ସମୟରେ ଏକ ବସ୍ତା ଗୁଡ଼ାଇ ଶିଶୁଟିକୁ ପକା ଯାଇଥିବା ବେଳେ ସେ କାନ୍ଦୁଥିବା ଜଣାପଡ଼ିଥିଲା । ଏନେଇ ଜିତେନ୍ଦ୍ର ପୁଲିସକୁ ଖବର ଦେବା ପରେ ଚାଇଲ୍ଡ ଲାଇନ ଓ ପୁଲିସ ମିଳିତ ଭାବେ ସେଠାରୁ ଶିଶୁପୁତ୍ରଟିକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରିଥିଲେ । ଶିଶୁର ଅବସ୍ଥା ଗୁରୁତର ଥିବାରୁ ତାକୁ ଏସ୍ଏନ୍ସିୟୁରେ ରଖାଯାଇଥିବା ବେଳେ ମଧ୍ୟାହ୍ନରେ ମୃତ୍ୟୁ ଘଟିଛି ।





