ନୟାଗଡ଼, (ବାଘୁଆବାର୍ତ୍ତା) : ରାଜ୍ୟରେ କରୋନା ମହାମାରୀ କାୟା ବିସ୍ତାରି ଚାଲିଥିବା ବେଳେ ନୟାଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୮୩ ଛୁଇଁ ସାରିଛି । ଏଥିସହିତ ପୂର୍ବରୁ ଦୁଇ ଜଣ ବାହ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଜଣେ ବାହ୍ୟ ଆକ୍ରାନ୍ତଙ୍କୁ ନେଇ ପ୍ରଶାସନର ଚିନ୍ତା ବଢ଼ିଛି । ସଦରବ୍ଲକ ଅନ୍ତର୍ଗତ ଖେଡ଼ପଡ଼ା ଗ୍ରାମରୁ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଷ୍ଟାଫ ନର୍ସ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏବେ ଗଦାଧରପ୍ରସାଦ ପଂଚାୟତ ବାଲିକୁଦିଆରୁ ମଧ୍ୟ ଜଣେ ବାହ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ଓ ରବିବାର ସଟ୍ଡାଉନ୍ ଘୋଷଣା ଏକ ପ୍ରକାର ସଫଳ ହୋଇଛି । ନୟାଗଡ଼ ସହର ଆଜି ସଂମ୍ପୂର୍ଣ୍ଣ ଶୂନଶାନ ହୋଇଯାଇଥିବା ବେଳେ ଖାଁ ଖାଁ ସୃଷ୍ଟି ହୋଇଛି । ପୁଲିସ ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ପହରା ଦିଆ ଯାଉଥିବା ଜଣାଯାଇଛି । ସହରର ସମସ୍ତ ଦୋକାନ ବଜାର, ଅଫିସ ଆଦି ବନ୍ଦ ରହିଛି ।







