ନୟାଗଡ଼ ସାଂସ୍କୃତିକ ମହୋତ୍ସବ ‘ଚିତ୍ରରଙ୍ଗ’ ଉଦଯାପିତ
ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ରାଗେଶ୍ରୀ ନିଳୟମ ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମିଳିତ ଆନୁକୂଲ୍ୟରେ ଆୟୋଜିତ ନୟାଗଡ଼ ସାଂସ୍କୃତିକ ମହୋତ୍ସବ ଚିତ୍ରରଙ୍ଗ ଆଜି ଉଦଯାପିତ ହୋଇଯାଇଛି । ପଠାଣି ସାମନ୍ତ ପ୍ରେକ୍ଷାଳୟରେ ଆଜିର ଉଦଯାପନି ସଂନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ଜିଲ୍ଲା ସୂଚନା ଓ ଲୋକ ସଂମ୍ପର୍କ ଅଧିକାରୀ ଡ. ପ୍ରମୋଦ କୁମାର ନାୟକ ପ୍ରମୂଖ ଯୋଗ ଦେଇଥିଲେ । କଳା, ସାହିତ୍ୟ ଓ ସଂସ୍କୃତିକୁ ବାନ୍ଧି ରଖିବାକୁ ମହୋତ୍ସବର ଆବ୍ୟକତା ଥିବା ବେଳେ ଏହି ସାଂସ୍କୃତିକ ମହୋତ୍ସବରେ ତିନିଦିନ ଧରି ନାଟକ, ସାହିତ୍ୟ, ଚିତ୍ରକଳା, ନୃତ୍ୟ ଓ ସଂଗୀତକୁ ସମ୍ମାନ ଜଣାଇଛି ବୋଲି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ରାୟ କହିଛନ୍ତି । ସେହିଭଳି ନୟାଗଡ଼ ମାଟି ନାଟୁଆଙ୍କ ମାଟି ବୋଲି ଉପଜିଲ୍ଲାପାଳ କହିଛନ୍ତି । ବର୍ଷତମାମ ନୟାଗଡ଼ରେ ନାଟକ ମଂଚସ୍ଥ ହେଉଥିବାରୁ ସେ ଏହାକୁ ପ୍ରଶଂସା କରିଛନ୍ତି । ଅନ୍ୟ କଳାକାରଙ୍କ ଅପେକ୍ଷା ମଂଚ କଳାକାରଙ୍କ କଳା ନୈପୁଣ୍ୟ ପଦର୍ଶନ ନିହାତି ଉଚ୍ଚକୋଟିର । ମଂଚ କଳାକାରମାନେ ଗୋଟିଏ ଥରରେ ତାଙ୍କର ଅଭିନୟକୁ ଦର୍ଶକଙ୍କ ନିକଟରେ ଉପସ୍ଥାପନ କରୁଥିବାରୁ ଉପଜିଲ୍ଲାପାଳ ମଂଚ କଳାକାରଙ୍କୁ ମହାନ ବୋଲି ଦର୍ଶାଇଛନ୍ତି । ଆଜିର ସଂନ୍ଧ୍ୟାରେ ଡ. ଅରବିନ୍ଦ ରାୟଙ୍କ ରଚିତ ତଥା ପବିତ୍ର ମହାନ୍ତିଙ୍କ ନିର୍ଦ୍ଦେଶିତ ନାଟକ ‘କେବଳ ଆମେ’ ବାନ୍ଧି ରଖିଛି । ଏହି ନାଟକରେ ସମାଜରେ ବଢ଼ୁଥିବା ନିସଙ୍ଗ ଜୀବନ ଯାପନ ଏବଂ ଏକାକୀ ବଂଚିବା ନୀତିକୁ ରଚୟିତା ଦର୍ଶାଇଥିବା ବେଳେ ନିର୍ଦ୍ଦେଶକ ଏହାକୁ କଳାକାରଙ୍କ ଦ୍ୱାରା ପରିସ୍ଫୁଟିତ କରିଛନ୍ତି । ଭୂବନେଶ୍ୱରର ଜୀବନରେଖା ଦ୍ୱାରା ଆୟୋଜିତ ଏହି ନାଟକକୁ ଦର୍ଶକ ବେଶ ଉପଭୋଗ କରିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସମାଜସେବା, ନାଟକ, ସାହିତ୍ୟ, ଅଭିନୟ, ଚିତ୍ରକଳା, ଶିକ୍ଷା, ସଂଗୀତ କ୍ଷେତ୍ରରେ ସୁନାମ ଅର୍ଜ୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏଥି ସହିତ ସମୟର ଡାକ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଛନ୍ତି । ରାଗେଶ୍ରୀ ନିଳୟମର ସଭାପତି ପ୍ରଭାତ କୁମାର ଦାଶ ଏବଂ ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଗଣେଶ ମିଶ୍ର ସଂଯୋଜନା କରିଥିଲେ ।






