ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ରାଗେଶ୍ରୀ ନିଳୟମ ଦ୍ୱାରା ନୟାଗଡ଼ରେ ଅନୁଷ୍ଠିତ ହେବ ସାଂସ୍କୃତିକ ମହୋତ୍ସବ ‘ଚିତ୍ରରଂଗ’ । ଏହି ମହୋତ୍ସବ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଅନୁଷ୍ଠାନର ସଭାପତି ପ୍ରଭାତ କୁମାର ଦାଶ ବ୍ଲକ ସଭାଗୃହରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ପଠାଣିସାମନ୍ତ ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବାକୁ ଥିବା ଏହି ସାଂସ୍କୃତିକ ମହୋତ୍ସବରେ ତିନୋଟି ନାଟକ ମଞ୍ଚସ୍ଥ ହେବାକୁ ଥିବା ବେଳେ ରାଜ୍ୟ ସ୍ତରୀୟ ଚିତ୍ରକଳା ପଦର୍ଶନୀ, ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା କବିତା ପ୍ରତିଯୋଗୀତା, ସାହିତ୍ୟ ଚର୍ଚ୍ଚା ଏବଂ ନୟାଗଡ଼ର ଲୋକକଳା ସଂଗୀତକୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ମହାବିଦ୍ୟାଳୟ ସ୍ତରୀୟ କବିତା ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିବାକୁ ଥିବା ପ୍ରତିଯୋଗୀମାନଙ୍କ ବହି ପୁରସ୍କୃତ କରାଯିବ । ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୨ ହଜାର, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ୧୫ଶହ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଏକ ହଜାର ମୁଲ୍ୟର ବହି ପୁରସ୍କୃତ କରାଯିବା ବୋଲି ଅନୁଷ୍ଠାନର ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଉଦ୍ଘାଟନ କରିବାକୁ ଥିବା ବେଳେ ତାଙ୍କ ସହିତ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବୋଲି ଜଣାପଡ଼ିଛି । ସାହିତ୍ୟ, କଳା ଏବଂ ନାଟକ କ୍ଷେତ୍ରରେ ସୁନାମ ଅର୍ଜ୍ଜନ କରିଥିବା ବହୁ ପ୍ରତିଭୂଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।






