୮ ମୋବାଇଲ, ୮ ବାଇକ, ତାସ ଓ ଟଙ୍କା ଜବତ
ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଜୁଆଆଡ୍ଡା ଚାଲିଛି । ସଦରଥାନା ଅଧିନରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ କରି ୬ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଇଟାମାଟି ଥାନା ନାଟୁଗାଁର ଯୁଗଳ ବିଶ୍ୱାଳ, ଶରଣକୁଳ ଥାନା ପଞ୍ଚରିଡ଼ା ମାନପୁର ଗ୍ରାମର ନବ ପ୍ରଧାନ, ଭବାନୀ ଶଙ୍କର ବାଘ, ଜୁଗଳ ନାୟକ, ସଦରଥାନା ଅନ୍ତର୍ଗତ ହିଞ୍ଜଳଗାଡ଼ିଆ ଗ୍ରାମର ଧୃବ ବରାଡ଼, ବଢ଼ିଆସାହି ଗ୍ରାମର ସୁରେନ୍ଦ୍ର ପ୍ରଧାନ । ସଦରଥାନା ଅନ୍ତର୍ଗତ ବଢ଼ିସାହି ରାସ୍ତାରେ ଥିବା ମେଲାମୁଣ୍ଡିଆଠାରେ ଦୀର୍ଘଦିନ ଧରି ଜୁଆଆଡ୍ଡା ଚାଲିଥିଲା ।
କୈାଣସି ସୁତ୍ରରୁ ଖବରପାଇ ସଦରଥାନା ପୁଲିସ ଆଜି ଚଢ଼ାଉ କରିଥିଲା । ଥାନା ଅଧିକାରୀ ପୂରା ଟିମ ସହ ଉକ୍ତ ମୁଣ୍ଡିଆକୁ ଘେରାଉ କରି ନେଇଥିଲେ । ଫଳରେ ସେଠାରେ ଥିବା ଜୁଆଡ଼ିମାନେ ଖସିବାର ସୁଯୋଗ ପାଇନଥିଲେ । ସେମାନଙ୍କଠାରୁ ୮ଟି ବାଇକ, ୮ଟି ମୋବାଇଲ ଫୋନ୍, ୨ ମୁଠା ତାସ ଓ ୧୧ ହଜାର ୩୦ ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି । ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଦିପକ କୁମାର ଖଣ୍ଡାୟତରାୟ ସୂଚନା ଦେଇଛନ୍ତି । ଏହି ଚଢ଼ାଉରେ ସଦରଥାନା ଏସଆଇ ସ୍ମୃତି ରଞ୍ଜନ ମହାନ୍ତି, ଏଏସଆଇ ଅଶୋକ ମହାନ୍ତି, ରାଜେଶ୍ୱରୀ ନାୟକ, ରାଜେନ୍ଦ୍ର କହଁରଙ୍କ ସମେତ ଥାନା କର୍ମଚାରୀ ସାମିଲ ହୋଇଥିଲେ ।





