ନୟାଗଡ଼, (ବାଘୁଆବାର୍ତ୍ତା): ଏମିତି ବାପା ମାଆ ଦେଖିବାକୁ ବିରଳ । ଯିଏ କି, ପୁଅ ସ୍ମୃତିରେ ନିଜର ଶରୀର ଦାନ କରି ସାରିଥିବା ବେଳେ ପ୍ରତ୍ୟେକ ବର୍ଷ ଶ୍ରାଦ୍ଧ ବାର୍ଷିକ ଅବସରରେ ରକ୍ତଦାନ ଶିବିର ଆୟୋଜନ କରିବା ସହ ନିଜେ ରକ୍ତଦାନ କରନ୍ତି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲାର ଆଗ ଧାଡ଼ିର ଶ୍ରମିକ ନେତା ତଥା ରାଜ୍ୟ ବିଜୁ ଶ୍ରମିକ ସାମ୍ମୁଖ୍ୟ ସଂପାଦକ ଶ୍ରୀକାନ୍ତ ପଟ୍ଟନାୟକ ଏବଂ ଶିକ୍ଷୟତ୍ରୀ ଗୀତାରାଣୀ ପଟ୍ଟନାୟକଙ୍କ ପୁଅ ସୁରଜିତ୍ ପଟ୍ଟନାୟକ ୨୦୧୨ ମସିହାରେ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ । ସେ ସିପେଡ୍ ଶେଷ ବର୍ଷର ଛାତ୍ର ଭାବେ ପାଠ ପଢ଼ୁଥିବା ବେଳେ ୨୦୧୨ ମସିହା ଅଗଷ୍ଟ ୧୨ ତାରିଖରେ ଟ୍ରେନ ଦୁର୍ଘଟଣା କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ତାଙ୍କ ମନେ ରଖିବା ଉଦ୍ଦେଶ୍ୟରେ ଶ୍ରୀଯୁକ୍ତ ପଟ୍ଟନାୟକ ଏବଂ ଶ୍ରୀମତି ପଟ୍ଟନାୟକ ପ୍ରତ୍ୟେକ ବର୍ଷ ଶ୍ରାଦ୍ଧ ବାର୍ଷିକ ଅବସରରେ ରକ୍ତଦାନ ଶିବିର ଆୟୋଜନ କରିଥାନ୍ତି । ଆଜି ସୁରଜିତ୍ଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ନୟାଗଡ଼ ରକ୍ତଭଣ୍ଡାରରେ ଆୟୋଜିତ ରକ୍ତଦାନ ଶିବିରରେ ୧୦ ୟୁନିଟ୍ ରକ୍ତ ସଂଗୃହିତ ହୋଇଯାଇଛି । ଅନ୍ୟପକ୍ଷେ, ପୁଅ ମୃତ୍ୟୁ ପରବର୍ଷ ଉଭୟ ଦମ୍ପତ୍ତି ବ୍ରହ୍ମପୁର ଏମ୍କେସିଜି ମେଡିକାଲ୍ରେ ଶରୀର ଦାନ କରିଥିବା ଜଣାଯାଇଛି ।






