ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଗୋଡ଼ିପଲ୍ଲୀ ପଂଚାୟତ ନିର୍ବାହୀ ଅଧିକାରୀ ନିଲମ୍ବିତ ହୋଇଥିବା ଜଣାଯାଇଛି । ସରକାରୀ ଅର୍ଥକୁ ଆତ୍ମସାତ କରିବା ସହ କରୋନା ଭଳି ବିପତ୍ତି ସମୟରେ ନିଜର ଦାୟିତ୍ୱ ନତୁଲାଇବା ତାଙ୍କ ପାଇଁ ମହଙ୍ଗା ପଡ଼ିଛି ଗୋଡ଼ିପଲ୍ଲୀ ପଂଚାୟତ ନିର୍ବାହୀ ଅଧିକାରୀ କିଶୋର ଚନ୍ଦ୍ର ବିଶ୍ୱାଳଙ୍କୁ । ଶ୍ରୀ ବିଶ୍ୱାଳ ପଂଚାୟତକୁ ଆସିଥିବା ସିଏଫ୍ସି ପାଣ୍ଠିରୁ ୨ ଲକ୍ଷ ଟଙ୍କା ତାଙ୍କ ଆକାଉଣ୍ଟକୁ ନେଇ ହଡ଼ପ କରିଥିବା ଅଭିଯୋଗ ଆସିଥିଲା । ଗୋଡ଼ିପଲ୍ଲୀ ସରପଂଚ ଲିଙ୍ଗରାଜ ପାତ୍ରଙ୍କ ଅଜାଣତରେ ହସ୍ତଖତ ଜାଲିଆତି କରି ପିଇଓ ଟଙ୍କା ହଡ଼ପ କରିଥିଲେ । ଘଟଣା ସଂମ୍ପର୍କରେ ସରପଂଚ ଜାଣିବା ପରେ ଓଡ଼ଗାଁ ବିଡିଓ, ପିଡି ଡିଆରଡିଏ ଏବଂ ଡିପିଓଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହି ଘଟଣାକୁ ନେଇ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ ଡିପିଓ ରତିକାନ୍ତ ଆଚାର୍ଯ୍ୟଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିଲେ । ଡିପିଓ ପଂଚାୟତରେ ପହଂଚି ଘଟଣାର ଖୋଳତାଡ଼ କରିବା ପରେ ପଂଚାୟତ ନିର୍ବାହୀ ଅଧିକାରୀ ଦୁଇ ଲକ୍ଷ ଟଙ୍କା ହଡ଼ପ କରିଥିବା ସ୍ପଷ୍ଟ ହୋଇଥିଲା । ଫଳରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପିଇଓଙ୍କୁ ନିଲମ୍ବନ କରାଯାଇଥିବା ଜଣାଯାଇଛି । ଏଭଳି ଦୁର୍ନୀତି ଗ୍ରସ୍ତ ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ଜିଲ୍ଲାପାଳ ନିଲମ୍ବନ କରିଥିବାରୁ ଅଂଚଳ ବାସୀ ସାଧୁବାଦ ଜଣାଇଛନ୍ତି ।






