ନୟାଗଡ଼, (ବାଘୁଆବାର୍ତ୍ତା): ରାଜ୍ୟ ସରକାରଙ୍କ କରୋନା କଟକଣା ପ୍ରଭାବରେ ନୟାଗଡ଼ ସହରରେ ମଦ ଦୋକାନ ବନ୍ଦ ରହିଥିବା ବେଳେ ଏବେ ବ୍ରାଉନସୁଗାର ଓ କୋରେସ୍କ ରାଜ କରୁଛି । ନିଶା ବ୍ୟବସାୟୀ ଏବଂ ନିଶାଡ଼ି ତାଙ୍କ କାରବାରକୁ ଅକ୍ଲେଷରେ ଚଲାଇଥିବା ବେଳେ ପୁଲିସ ଜାଣି ଅଜଣା ହେବାର ଅଭିନୟ କରୁଛି । ସୂଚନାନୁସାରେ, ନୟାଗଡ଼ ସହରର ମୁଖ୍ୟ ଛକ ପାଖରେ କରୋନାର ପ୍ରଭାବ ଦେଖା ଯାଉଥିବା ବେଳେ ନିକଟସ୍ଥ ସିନ୍ଦୁରିଆ ଗ୍ରାମରେ ଏହାର ପ୍ରଭାବ ପରିଲକ୍ଷିତ ହେଉନାହିଁ । ନିଶା ମାଫିଆଙ୍କର ଆଡ୍ଡାସ୍ଥଳୀ ବନିଛି ସିନ୍ଦୁରିଆ । ସିନ୍ଦୁରିଆ ମୁଖ୍ୟ ରାସ୍ତା ଉପରେ ଟିଣ ଘର ଭିତରେ ଚାଲିଛି କୋରେସ୍କ ବେପାର ଏବଂ ଗାଁ ଭିତରେ ଚାଲିଛି ବ୍ରାଉନୁସୁଗାର କାରବାର । ସହରକୁ ପୁଲିସ କାବୁ କରିଥିବା ବେଳେ ସିନ୍ଦୁରିଆକୁ ଏହାର ପ୍ରଭାବ ପଡ଼ି ନାହିଁ । ଯାହା ଫଳରେ ନୟାଗଡ଼ ସହରର ନିଶାଡ଼ି ଏବେ ସିନ୍ଦୁରିଆ ମୁଁହା । ସେହିଭଳି ନୟାଗଡ଼ ନିକଟସ୍ଥ ବୋଦାପଡ଼ା ଏବଂ ଗୋଡ଼ିସାହିରେ ଏହି ନିଶାର ପେଣ୍ଠସ୍ଥଳି ପାଲଟିଛି । ଏଠାରୁ ବ୍ରାଉନସୁଗାର ଏବଂ ଗଂଜେଇ ନୟାଗଡ଼ ସିନ୍ଦୁରିଆ ଅଣାଯାଇ ଖୁଚୁରା କରାଯାଉଛି । ଅନ୍ୟପକ୍ଷେ, ମଦ୍ୟପାନ କରୁଥିବା ବ୍ୟକ୍ତି ଏବେ ବାରବାଟି ଗ୍ରାମରେ ଚାଲିଥିବା ବେଆଇନ ଦେଶୀ ମଦ କାରବାର ଉପରେ ନିର୍ଭରଶୀଳ । ପୁଲିସର ଦାଣ୍ଡପଟ ସୁନ୍ଦର ଦେଖା ଯାଉଥିବା ବେଳେ ବାରପଟ ଏବେ ଦୁର୍ଗନ୍ଧମୟ ହୋଇଛି । କରୋନାକୁ ନେଇ ପୁଲିସ ସହରରେ ନାକାବନ୍ଦୀ କରୁଥିବା ବେଳେ ନିଶା ବ୍ୟବସାୟୀଙ୍କ ପାଖରେ ପହଂଚି ପାରୁ ନାହିଁ । ଯାହାକୁ ନେଇ ସିନ୍ଦୁରିଆ ଓ ଆଖପାଖ ମୈାଜାରେ ରହୁଥିବା ଭ୍ରଦବ୍ୟକ୍ତିମାନେ ଅସନ୍ତୋଷ ପ୍ରକାଶ କଲେଣି ।






