ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସହରର ପଞ୍ଜିକୃତ ନାଟ୍ୟ ସଂସ୍ଥା ‘ନାଟ୍ୟଧାରା’ ଆନୁକୂଲ୍ୟରେ ବିଗତ ବର୍ଷ ପରି ଚଳିତ ବର୍ଷ ମାର୍ଚ୍ଚ ୧ତାରିଖର ଠାରୁ ମାର୍ଚ୍ଚ ୭ତାରିଖ ପର୍ଯ୍ୟନ୍ତ ଦୀର୍ଘ ୭ଦିନ ବ୍ୟାପୀ ରାଜ୍ୟସ୍ତରୀୟ ନାଟ୍ୟମେଳା ପଠାଣି ସାମନ୍ତ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହେବ । ଗତବର୍ଷର ନାଟକୋତ୍ସବର ଅଭୂତପୂର୍ବ ସଫଳତା ପରେ ଦର୍ଶକୀୟ ଆଦୃତୀକୁ ଆଧାର କରି ଚଳିତ ବର୍ଷ ନାଟ୍ୟମେଳା ଆୟୋଜନ ନିମନ୍ତେ ଆଜି ରୋଟାରୀ ଭବନଠାରେ ସୂଚନା ଦିଆଯାଇଛି । ଚଳିତ ବର୍ଷ ଭୁବନେଶ୍ୱର, କଟକ, ଢେଙ୍କାନାଳ, ମୟୁରଭଞ୍ଜ, ବାଲେଶ୍ୱର, ସମ୍ବଲପୁର ଓ ନୟାଗଡ଼ର ନାଟ୍ୟ ଅନୁଷ୍ଠାନ ଦ୍ୱାରା ସାତ ଦିନ ବ୍ୟାପି ନାଟକ ପରିବେଷଣ କରାଯିବ । ପ୍ରତ୍ୟେକ ଦିନ ସଂନ୍ଧ୍ୟା ୭ଟା ୩୦ ମିନିଟରୁ ଆରମ୍ଭ ହୋଇ ରାତି ୯ଟା ୩୦ ମିନିଟ ପର୍ଯ୍ୟନ୍ତ ଏହି ନାଟକ ମଂଚସ୍ଥ ହେବ ବୋଲି ଜଣାଯାଇଛି । ଆଜିର ସାମ୍ବାଦିକ ସମ୍ମଳନୀରେ ନାଟ୍ୟଧାରା ଅନୁଷ୍ଟାନର ସଭାପତି ପ୍ରମୋଦ ପଟ୍ଟନାୟକ, ଉପସଭାପତି ବିଶ୍ୱନାଥ ମହାପାତ୍ର, ସଂପାଦକ ଲକ୍ଷ୍ମୀଧର ମହାପାତ୍ର, ନିର୍ଦ୍ଦେଶକ ନାଟ୍ୟଭୂଷଣ ଡ. ବିଜୟ କୁମାର ଚୈାଧୁରୀ ପ୍ରମୂଖ ଉପସ୍ଥିତ ରହି ଏହି ସୂଚନା ପ୍ରଦାନ କରିଥିଲେ ।






