ନୟାଗଡ଼,(ବାଘୁଆବାର୍ତ୍ତା): ଜିଲ୍ଲା ସଂସ୍କୃତି ପରିଷଦ ଏବଂ ନାଟ୍ୟଧାରା ଆୟୋଜିତ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ ୨୦୨୦ ପଂଚମ ଦିବସ ଆଜି ପଠାଣି ସାମନ୍ତ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ଆଜିର ସଂନ୍ଧ୍ୟାରେ ଉଦଘାଟକ ଭାବେ ଜିଲ୍ଲା ସୂଚନା ଓ ଲୋକ ସଂମ୍ପର୍କ ଅଧିକାରୀ ଡ. ପ୍ରମୋଦ କୁମାର ନାୟକ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଓଡ଼ିଶା ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ନବୀନ କୁମାର ପରିଡ଼ା ଯୋଗ ଦେଇଥିଲେ । କଳା, ସାହିତ୍ୟ ଓ ସଂସ୍କୃତିର ମାଟି ନୟାଗଡ଼ରେ ସାତଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ଏହିୁ ନାଟକ ମହୋତ୍ସବ ଏବଂ ମହୋତ୍ସବକୁ ଉପଭୋଗ କରୁଥିବା ଶତାଧିକ ଦର୍ଶଙ୍କୁ ଅତିଥିମାନେ ସାଧୁବାଦ ଦେଇଥିବା ବେଳେ ନାଟ୍ୟଧାରାର ଉତ୍ତରତ୍ତୋର ଉନ୍ନତୀ କାମନା କରିଥିଲେ । ନାଟକ କ୍ଷେତ୍ରରେ ବିଗତ ଦିନରେ ନୟାଗଡ଼ର ବହୁ ସ୍ରଷ୍ଟାଙ୍କ ସୃଷ୍ଟି ତାରା ଭଳି ଜାଜ୍ୱଲ୍ୟମାନ ହେଉଥିବା ବେଳେ ଆଗାମୀ ଦିନରେ ଆହୁରୀ ଅନେକ ସୃଷ୍ଟି ହେବ ବୋଲି ଅତିଥିମାନେ ଆଶା ବ୍ୟକ୍ତ କରିଥିଲେ । ପଂଚମ ଦିବସରେ ଭୂବନେଶ୍ୱରର ନାଟ୍ୟ ଅନୁଷ୍ଠାନ ବିଦ୍ୟା କନକ ସୃହଜାନୁଷ୍ଠାନ ଦ୍ୱାରା ପରିବେଷିତ ହୋଇଥିଲା ନାଟକ ‘ଏଇ ବୋଧେ ପ୍ରେମ’ । ନାଟ୍ୟକାର ଦିଲ୍ଲୀପ କୁମାର ବଳବନ୍ତରାୟଙ୍କ ରଚିତ ଓ ଜଗଦୀଶ ମହାରଣାଙ୍କ ନିର୍ଦ୍ଦେଶିତ ଏହି ନାଟକକୁ ଦର୍ଶକ ବେଶ ଉପଭୋଗ କରିଥିବା ବେଳେ ଏହି ନାଟକଟିରେ ଜୀବନର କଥା ବେଶ ବାରି ହୋଇ ପଡ଼ିଥିଲା । ଜୀବନ ସାୟାହ୍ନରେ ସନ୍ତାନଙ୍କ ଅନୁପସ୍ଥିତି ସହ ଅନେକ ବଳକା ସମୟକୁ କାଟିବା ପାଇଁ ସାଥିର ଆବଶ୍ୟକତା ନାଟକରେ ଦେଖିବାକୁ ମିଳିଛି । ଏଥିସହିତ ସାଥି ହୋଇ ବଞ୍ଚିବା ଓ ସାଥୀ ହୋଇ ମରିବା ଭଳି କଠୋର ନିଷ୍ପତ୍ତି ଭରା ପ୍ରେମ କାହାଣୀ ଉପରେ ଆଧାରିତ ହୋଇଛି ନାଟକ ‘ଏଇ ବୋଧେ ପ୍ରେମ’ । ନାଟ୍ୟଧାରାର ସଭାପତି ପ୍ରମୋଦ ପଟ୍ଟନାୟକ, ନିର୍ଦ୍ଦେଶକ ଡ. ବିଜୟ କୁମାର ଚୈାଧୁରୀ ଏବଂ ସଂପାଦକ ଲକ୍ଷ୍ମୀଧର ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ହେଉଥିବା ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ ଚଳିତ ମାସ ୧ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ୭ ତାରିଖରେ ଉଦଯାପିତ ହେବ ବୋଲି ଜଣାପଡ଼ିଛି ।





