ନୟାଗଡ଼,(ବାଘୁଆବାର୍ତ୍ତା): ପୁଣିଥରେ ନାବାଳିକା ବିବାହ ଅଟକାଇଛି ଚାଇଲ୍ଡ ଲାଇନ । ଗତକାଲି ରଣପୁର ବ୍ଲକର ଜଣ ୧୬ ବର୍ଷିୟା ନାବାଳିକା ସହ ତାଙ୍କ ଗ୍ରାମର ଜଣେ ଡ୍ରାଇଭର କାମ କରୁଥିବା ଯୁବକଙ୍କ ସହ ବିବାହ ଅନୁଷ୍ଠିତ ହେବାକୁ ଯୋଜନା ଚାଲିଥିବା ବେଳେ ଚାଇଲ୍ଡ ଲାଇନ ପହଂଚି ଏହାକୁ ରୋକିଥିଲା । ସେହିଭଳି ଗୁରବାର ଖଣ୍ଡପଡ଼ା ବ୍ଲକର ଏକ ନାବାଳିକା ବିବାହକୁ ରୋକା ଯାଇଛି । ଗଣିଆର ଜଣେ ୧୬ ବର୍ଷର ନାବାଳିକାକୁ ତାର ମା’ କଟକ ଜିଲ୍ଲା ନରସିଂହପୁର ଅଞ୍ଚଳରେ ବିବାହ କରିବା ପାଇଁ ସଜବାଜ ହେଉଥିଲେ । ଏପରିକି ସମସ୍ତ ଆୟୋଜନ ସରିଥିଲା । ତେବେ ଖବର ପାଇ ସିଡିପିଓ ଲକ୍ଷ୍ମୀ ଦାସ, ଚାଇଲ୍ଡ ଲାଇନ ସଦସ୍ୟ ଆନନ୍ଦ ଚନ୍ଦ୍ର ବେହେରା, ସୁପରଭାଇଜର କଳ୍ପନା ମିଶ୍ର, ଟୁନି ଦାସ ପ୍ରମୁଖ ଝିଅର ଗ୍ରାମରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାଇ ବିବାହ ରୋକିଥିବା ଜଣାଯାଇଛି । ନୟାଗଡ ଜିଲ୍ଲାରେ ବାଲ୍ୟ ବିବାହ ପାଇଁ ଜନସଚେତନତା ସୃଷ୍ଟି କରାଯାଉଥିବା ବେଳେ ବାଲ୍ୟ ବିବାହ ବନ୍ଦ ହେବାର ନାଁ ଗନ୍ଧ ଧରୁନାହିଁ । ଏଥିପାଇଁ ଜନସଚେତନତା ଲୋଡ଼ା ବୋଲି ବୁଦ୍ଧିଜୀବୀ ମାନେ ମତପୋଷଣ କରିଛନ୍ତି ।






